ପଢିବା ସହ ସଙ୍ଗୀତର ମଜା ନିଅନ୍ତୁ ।
ରମେଶ ଆଖି ବୁଜି ଦେଲା, ତା’ର ମୁଣ୍ଡ ଭିତର ଦୋହଲି ଯାଉଛି, ଦେହରେ ବାଟର କ୍ଲାନ୍ତି, ଆଉ ଭୋକ, ଆଖି ବୁଜି ତ ଦେଖୁଛି ଗୋଳିଆଗୋଳି ଆଉଟା ଆଉଟି ମଣିଷ, ସେଠି ଗାଲରେ ୟଜ୍ ରୋଗ, ମୁହଁରେ ହସ ଦେହରେ ଧୋକଡ଼ା ଚମ, ଆଖି ଚିକ୍ ଚିକ୍ । ସେଠି ମରଣର କାନ୍ଦଣା, ଅଭାବର ଆର୍ଜନାଦ, ଟାଡ଼ୁଆ ଆଖିର ଗହ୍ଵର ତଳେ ନିଆଁ ଆଉ ତୋଫାନ । ଆଖି ଖୋଲି ଚାହିଁଲା, - ଲାଗିଛି ଚିତ୍କାର – “ ଏ ବାବୟା, ଏ ତଣ୍ଟ୍ରି-"
ହେ ବାବୁ, ହେ ବାପା, ଦେଖ ଆମ ଅବସ୍ଥା ଥରେ । ନିଘା ପଡ଼ିଲା ଆଗରେ ଠିଆହୋଇଛି ବରଡ଼ାପତ୍ର ତିଆରି ଡେଙ୍ଗା ମଣିଷ, ଦୁଇ ଲମ୍ବା ହାତ ମୁଣ୍ଡ ଉପରକୁ ଟେକି ଥର ଥର ହୋଇ ନଇଁପଡ଼ିଲା, ସତେ ଅବା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ିବ ସେଇଠି, ଫମ୍ପା ଘାଗଡ଼ା ଗଳାରେ ରଡ଼ି ଦେଲା, “ ଏ ବାବୟା, ଏ ତଣ୍ଟି”- “ ଗଡ଼ ଗଡ଼ ହୋଇ ଆପଣା ବୋଲିରେ କରୁଣ ଅନୁନୟ ଗାଈଗଲା, ଭାଷା ନ ଜାଣିଲେ ବି ତା’ର ଭାବ ବୁଝି ହୁଏ । ତଳେ ମୁଣ୍ଡ କୋଡ଼ି ତା'ର ପାଦ ଆଡ଼କୁ ହାତ ବଢ଼ାଇ ବେକ ଭାଙ୍ଗିଦେଇ ଉପରକୁ ମୁହଁ ଟେକି ସଳଖେ ରହିଲା । ସେହି ଡାହାଣ ରୂପ ନେଲା କେଉଁ ଏକ ଚିହ୍ନା ମଣିଷର, ରମେଶର ଚିହ୍ନା,ସମସ୍ତଙ୍କର ଚିହ୍ନା, ଭୋକ ଉପାସରେ ଛଟପଟ ହେଲେ ଆପଣା ଭିତରୁ ବାହାରି ଦର୍ପଣରୁ ଚାହିଁ ରହେ । ଲାଗିଲା, ଏହି ସମସ୍ତେ ଯେପରି ତା’ ଚିହ୍ନା ପରିଚୟ ଲୋକ, ତା’ର ଗ୍ରାମ ଲୋକ, ଦେହର ଚେହେରାକୁ ଆଉ ତା’ର ନିଘା ନାହିଁ, ଭାବର ବେହେରା ତା’ର ଅତି ଚିହ୍ନା । ସାମ୍ନାର ଏ ଲୋକଟି ଯେପରି ତା’ର ହଜିଲା ସପନାଦାଦି, ସେମିତି ଅଲରା ବାଳ, ସେମିତି ପାଗଳପରି ଠିଆ ରୁଢ଼, ହାଡ଼ର ଧଡ଼ିଏ ଧଡ଼ିଏ ଖାଲି ଗାଡ଼ମୟ । କେବଳ ସେ ଆହୁରି କ୍ଳାନ୍ତ, ଆହୁରି କ୍ଷୁଧ୍ତ, ମୃତ୍ୟୁର ବିଭୀଷିକା ଆଗରେ ଭୟରୀତ । ସେହି ନିଶୁଆ' ବଙ୍କା ବୁଢ଼ା ଯେପରିକି କାନ୍ତପୁରର ଅକାମୀ ଅରକ୍ଷ କୁମହାର ବୁଢ଼ା ।
ଏଇ ଚମହାଡ଼ମୟ ଟୋକାପଲକ କାଲି ଥିଲେ ତା’ର ଗାଁର ଟୋକା, ସେମାନେ ତା’ରି ବାରିରେ ପଶି କଷି ପିଜୁଳି ଚୋବୋଉଥିଲେ, ଏଇ ଦଦରା ନାଆ ପରି ସ୍ତ୍ରୀ ଲୋକମାନେ ଜାଲି ଥିଲେ ତା’ ଗାଁର ସ୍ତ୍ରୀଲୋକ, ପାହାନ୍ତିଆରୁ କିଲ୍କାଲିଆ ହୋଇ ବାଦବୁଦିଆ ଲଗାଇ ପତ୍ର ଗୋଟାଇବାକୁ ଧାଇଁଥିଲେ । ରମେଶ ଆଖି ମୁଡ଼େଇ ମୁହଁପୋତି ଠିଆହୋଇ ରହିଲା,
ତୁଣ୍ଡରୁ ଖାଲି ପଦେ କଥା-
“ ଯାଅ-ଯାଅ-ସା ଚାଲି- "
କ’ଣ କହୁଚି ଏ ବାବୁଟା ? ବିନାୟକ ଚପରାସୀ ତରତର ହୋଇ ଭାବିଗଲା । ସତେ ଏମାନଙ୍କୁ ଚାଉଳ ଘେନି ଚାଲିଯିବାକୁ ଛାଡ଼ିଦେଉଛି । ଆତୁର ହୋଇ ପାଟିକଲା,"ଆଜ୍ଞା-ଆଜ୍ଞା-ଆଜ୍ଞା- '
ତା’ଠୁ ସେହି ଏକା ଉତ୍ତର- “ଛାଡ଼ିଦିଅ - ବେଳ ଯାଉଚି - ଯାଅ ଭାରି ଯା'
ସଂସାରକୁ ଚିହ୍ନେ ନାହିଁ, ନରମ ପୁଚୁପୁଚ୍ ମନ, ଟୋକା ଲୋକ, ଗଜୁରା ଗଜୁରା ଅଧା ନିଶ, ଢକଢକିଆ ଟୋକା ଖଣ୍ଡେ, ଏଇଟା ନୁହେଁ ଅଧିକାରୀ, ପ୍ରକୃତ ‘ଅଧିକାରୀ’ ବାଘ ପରି ମଣିଷ, ଛେ ଏଇଟା । ବିନାୟକ ଓଡ଼ିଆ, ତା’ର ଅଭିଜ୍ଞତାର ଇତିହାସ ଆଉଣ୍ଡି ଲାଗିଲା, ସେ ବହୁତ ଦେଖିଛି । ତା’ର ଓଠ ବଙ୍କା ହୋଇ ରହିଲା, ନୁହେଁ ହସ, ନୁହେଁ ବିଦୂପ ।
ରମେଶ ଠିଆହୋଇ ରହିଲା, ତା’ର ଚେତନା ଆଗରେ ଇତିହାସ ନ ଥିଲା କପିଳେନ୍ଦ୍ର ନାହାନ୍ତି, ପୁରୁଷୋତ୍ତମ ନାହାନ୍ତି, କୋଣାରକ ନାହିଁ, ଦେଶ ଓ ଜାତିର ପିଞ୍ଜରଗଢ଼ା ମଣିଷର ବିଶିଷ୍ଟ ରୂପ ନାହିଁ ଇତିହାସର ଅର୍ଥ ନାହିଁ, କିଛି ନାହିଁ, ଚାରିଆଡ଼େ ଖାଲି ପିମ୍ପୁଡ଼ି, ପିମ୍ପୁଡ଼ି,ଭୋକିଲା ପିମ୍ପୁଡ଼ି ବଞ୍ଚିବା ପାଇଁ ଆଧାର ବୋହି ନେଉଛନ୍ତି, ଆଉ ପିମ୍ପୁଡ଼ି ଧାର ଏକାଠି ହୋଇ ମନ୍ଦା ବାନ୍ଧୁଛି ନୂଆ ଅଭିଯାନ ପାଇଁ - ସେ ବଞ୍ଚିବାକୁ ଚାହେଁ ।
ଶୀତେଇ ଉଠିଲା, ଖରା ଗଲାଣି, ବାରିଆଡ଼େ ଖାଲି କୁହୁଡ଼ି, ମାଘର ଶୀତ ଅନୁଭବ କଲା ।
******---_---*****