ପଢିବା ସହ ସଙ୍ଗୀତର ମଜା ନିଅନ୍ତୁ ।
“ ମନେ ପଡ଼ିଲା- ନୀଳ ?” ପୁଣି ହିଁ ହିଁ ସ୍ଵର-ମଲା ଅତୀତଟାର ହିଁ ହିଁ ହସ ଯେମିତି । ମଞ୍ଜ ଥରିଗଲା । ତା’ପାଦ ପାଖରେ ବସିପଡ଼ି କହିଲି, “ହଁ, ଭାଉଜ । ମନେ ପଡ଼ିଲା ।” ମୋ ଆଖିରୁ ଲୁହ ଗଡ଼ିଲା କି ନାହିଁ ମନେ ନାହିଁ । ଗଡ଼ି ନ ଥିବ । ମୁଁ ସୁ ସୁ ହୋଇ ଅଭିନୟ କରିଥିବି ହୁଏ ତ । ସେ କ’ଣ ଠଉରେଇଲେ, କହିଲେ “ଯୋଉ କଥା କହୁଥିଲ ଏଇଛୁଣି କ’ଣ, ତୁମ ପାଟି ବାରିଲି, ସେ ରିଭଲ୍ ଭାଇ କିଏ ? ଲିଭରପୁଲ ଯାହା
ଆଗେ କହୁଥିଲ ସେଇ ନୁହେଁ ତ ?"
ବୁଢ଼ୀର ହାତରେ ମୋ ସାହେବୀ ପୋଷାକ- ବକିଙ୍ଗ୍ ହାମ୍ ମିଲସ୍ ସାନଫ୍ରାଜ୍ଡ଼ କନା ତିଆରି ଟ୍ରାଉଜରକୁ ଛୁଇଁଲା, ଛୁଇଁଲା ନି, ଛାଡ଼ିଦେଲା- “ତୁ କ’ଣ ଭୁଲିଗଲୁ କିରେ ?ଏବେ କ’ଣ ଗାନ୍ଧି ରାଜ୍ୟ ହେଇନି ? ଗାନ୍ଧି । ଏହି କଥା ଲାଗିଗଲା, ତା’ର ଓଠ ଦୁଇଟା ଥରୁଥାଏ, ଆଖିରୁ ପାଣି ନିଗୁଡୁଥାଏ, କହିଲା- “ବାପରେ, ମତେ ବାହାରକୁ ନିଅ,ବାହାରକୁ । ସହସ୍ର ଗଣ୍ଡି ତଳେ ଏ ଜୀବ ନ ଯାଉ । ତତେ ପାଇ ବି ପାଇଲି ନାହିଁ, ଦେଖିବି ଦେଖିପାରିଲି ନାଇଁ-ମନେ ପଡ଼ିବି ତ ?” ପାଣି ପବନଖିଆ ପୋକରା ବାଉଁଶ ତାଟିଟା ଝୁର କିନି ଝରିପଡ଼ିଲା ଯେମିତି ।
ଆସିଷ୍ଟାଣ୍ଟ ବେଣୁବାବୁଙ୍କ ବକ୍ତୃତା ଆକାଶକୁ ଉଠୁଥାଏ- “ ଆପଣମାନେ ଦେଖନ୍ତୁ,ସ୍ଵାଧୀନ ଦେଶର ସ୍ଵାଧୀନ କମ୍ପାନୀର ଜିନିଷ... ଏ.... ଏହି କମ୍ପାନୀରେ ରହି କେତେଲୋକ ଆଜି ଧନୀ, ମାନୀ, ବିଜ୍ଞାନୀ । ଦେଶର ବିଭବ ବଢୁଛି - ଆଜି.... ।”
କାନରେ ହାତ ଦୁଇଟା ଜାବୁଡ଼ି ଧରିଲି । ଡାକବାଜି ଯନ୍ତ୍ର ନାହିଁ, ଗ୍ରାମୋଫୋନ୍ ନାହିଁ । ସେ ଦିନ.... ଦିନ ଦି ପହରେ ଜମାଦାର ମତେ ଘୋଷାରୁଥାଏ | ଏଇ ଭାଉଜ ମୋର ବାଲୁକେଶ୍ଵରଙ୍କ ପାଖେ ଛିଡ଼ା ହୋଇ କାନ୍ଦୁଥାଏ । ଆଉ ମୁଁ ଡାକ ଛାଡୁଥାଏ- “ ନିଜର ବଳ ନିଜେ ଅର୍ଜନ କର, ବିଦେଶୀର ଶୋଷଣ ବିରୁଦ୍ଧରେ ଲଢ଼, ସ୍ବାଧୀନ ଭାରତକି ଜୟ,ଗାନ୍ଧିଜୀକି ଜୟ ।”
'ଗାନ୍ଧିଜୀକି ଜୟ !” ପଛରୁ ଯେ କହିଥିଲା, ମତେ- ସେ ଗଳା, ଗାନ୍ଧିର ରାଜ୍ୟରେ ଆଉ ମୁଁ - ଲକ୍ସ ସାବୁନଟା ଗାଲରେ ଘଷିହେଲି, ଚୁମ୍ବନ କଲି - ଟ୍ରାଉଜରଟାକୁ ଧରିଲି – କାନ୍ଦିଲିନି ହସିଲିନି -
ଗାଆଁ ମୁଣ୍ଡରେ ନିଆଁଟା ହୁତ୍ ହୁତ୍ ହୋଇ ଜଳୁଥିଲା କେତେବେଳେ । ଶ୍ମଶାନରୁ ଫେରି ଡ୍ରାଇଭରକୁ କହିଲି- “ଗାଡ଼ି ବୁଲାଇ ଫେରିଯା... ଫେରିଯା... ଫେରିଯା ଯୁଆଡୁ ଆସିଥିଲ ସେଇଆଡ଼େ - "
*******-----*******