top of page

ଲକ୍ଷ୍ମୀ ଛଡ଼ା ରାଜା କଥା

ପଢିବା ସହ ସଙ୍ଗୀତର ମଜା ନିଅନ୍ତୁ ।

00:00 / 04:14
ରିପୋର୍ଟ କରନ୍ତୁ ।

ଏଥୁ ଅନ୍ତେ ଅବୋଲକରା ଓ ଚତୁର ବ୍ୟଙ୍ଗ କଥାକାର ପୂର୍ବ ତୀର୍ଥରେ କିଛି ଦିନ ରହିଲେ । ସେଦିନ ପ୍ରାତଃ ହେବା ପରେ ବ୍ୟଙ୍ଗକାର କହିଲେ ଆମେ ଏଠାରେ ଯେଉଁ କେଇ ଦିନ ଅବସ୍ଥାନ କରିବା ସେହି ଭାବରେ ସଉଦା ଆଣିବାକୁ ହେବ । ପଇସା ନିଅ । ଆବଶ୍ୟକ ତେଲ, ଲୁଣ, ଡାଲି, ଆଳୁ, ସାରୁ ନେଇ ଆସ ।

ବୋଲକରା ବ୍ୟାଗ୍ ଖଣ୍ଡିକ ଧରି ସଉଦା ଲାଗି ଗଙ୍ଗା କୂଳେ କୂଳେ ଯାଉ ଥାଏ । ଗଙ୍ଗା କୂଳ ମାନଙ୍କରେ ଥିବା ରମଣୀୟ ଘାଟ ଆଦି ଦେଖି ବୋଲକରାର ମନ ବେଶ୍ ଖୁସ୍ ହୋଇ ଯାଉ ଥାଏ । ସେ ପୁଣି ଆଉ କିଛି ବାଟ ଗଲା । ଯାଉ ଯାଉ ତା’ର ଦୃଷ୍ଟି ଏକ ସୁନ୍ଦର ଚଉପାଢି ଉପରେ ପଡିଲା । ମାର୍ବଲ୍ ବିଛା ଚଉପାଢିର ମଧ୍ୟ ଭାଗରେ ଥିଲା ଏକ ସୁନ୍ଦର ଚଉତରା । ତା’ଉପରେ ମାର୍ବଲ୍ ନିର୍ମିତ ସୁନ୍ଦରୀ ନାରୀର ମୂର୍ତ୍ତି ଠିଆ ହୋଇଛି । ଆଉ ମଧ୍ୟ ସେହି ନାରୀର ଠିଆ ହୋଇଥିବା ମୂର୍ତ୍ତିର ନିମ୍ନାଂଶରେ ଲେଖା ଯାଇଛି ସହଜରେ ନାରୀ ମାନଙ୍କୁ ବିଶ୍ୱାସ କରିବ ନାହିଁ । ଏହା ଦେଖି ଅବୋଲକରା ଭାବିଲା ଏ କେମିତିକା କଥା । ସମସ୍ତେ କହନ୍ତି ନାରୀ ସନ୍ତାନ ମାନଙ୍କର ଜନନୀ । ଆଉ ପୁଣି ସନ୍ତାନ ମାନେ ଏ ଦେଶର ଭବିଷ୍ୟତ । ନାରୀ ମାତୃସ୍ୱରୂପା, ନାରୀ ସର୍ବ ସହଣୀ । ଏତେ ପରେ ଏହି ନାରୀର ମୂର୍ତ୍ତି ତଳେ ଏପରି କାହିଁକି ଲେଖା ଯାଇଛି । ସେହି କଥାର ଅସଲ କାରଣ ଜାଣିବା ନିମନ୍ତେ ଅବୋଲକରା ମନରେ ସଙ୍ଗେ ସଙ୍ଗେ ଉତ୍କଣ୍ଠା ଜାତ ହେଲା । ଆଉ ମଧ୍ୟ ତା’ର ଦ୍ୱିତୀୟ ଆଶ୍ଚର୍ଯ୍ୟ ହେବାର କାରଣ ହେଲା ଯିଏ ଯେତେବେଳେ ଯେଉଁ ଭୋଗ ନେଉଛି ତାହାକୁ ଭୋଗ ନକରି ମୂର୍ତ୍ତି ପାଖରେ ଥୋଇ ଦେଇ ଯାଉଛି ।

ଅବୋଲକରା ଏ ସମସ୍ତ ଦେଖି ସାରି ଆବଶ୍ୟକୀୟ ସଉଦା ପତ୍ର କିଣି ସାରିଲା । ତା’ପରେ ସେ ଫେରିଲା ଧର୍ମଶାଳାକୁ । ସେତେବେଳକୁ କଥାକାର ନିଜର ନିତ୍ୟ କର୍ମ ସମାପନ କରି କୋଥଳି ଭାଗବତ ପାଠ ଶେଷ କରି ନିର୍ମାଲ୍ୟ ପାଉ ଥାଆନ୍ତି । ବୋଲକରାକୁ ଦେଖିବା ମାତ୍ରେ ସେ ପଚାରିଲେ ସବୁ ସଉଦା ଆଣିଲୁନା? ଏବେ ପରିବା ସବୁ କାଟି ଦିଅ । ରୋଷେଇ ବସାଇବା । ବୋଲକରା କହିଲା – ଦେଖ ମହାନୁଭବ, ବର୍ତ୍ତମାନ ମୁଁ ଯେଉଁ ଦୃଶ୍ୟ ଦେଖିଲି ତାହା ଦେଖି ମୁଁ ଖୁବ୍ ଆଶ୍ଚର୍ଯ୍ୟ ହେଲି । ସେଥି ଲାଗି ତରବରରେ ସଉଦା ଧରି ସେଠାରୁ ପଳାଇ ଆସିଲି । ଚତୁର ବ୍ୟଙ୍ଗକାର ପଚାରିଲେ କ’ଣ ଦେଖିଲୁ । ବୋଲକରା କହିଲା –

ଚହଟ ଚିକ୍କଣ ମଣ୍ଡପ ପରେ

ସୁନ୍ଦରୀ ରହିଛି ଠିଆ ଭାବରେ

ଲେଖା ଯାଇ ଅଛି ପାଦ ଦେଶରେ

ବିଶ୍ୱାସ ନକର ଏ ନାରୀ ଠାରେ

ଚିକ୍କଣ ମୁଖରେ ମସୃଣ ଗଣ୍ଡ

ସତେ ଉଦେ ହୁଏ ସେଠାରେ ଚାନ୍ଦ

ପହୁଡ ପଡିନି ପଡିଛି ଖୋଲା

ଭୋଗ ଥୁଆ ଯାଏ ନହୁଏ ପରା

ଏହାର କାରଣ କୁହ ଗୋସାଇଁ

ତାପରେ ହୋଇବ ଆମ ରୋଷେଇ ।

ଏ କଥା ଶୁଣିବା ପରେ ବ୍ୟଙ୍ଗକାର ମନେ ମନେ ହସି ଭାବିଲେ ଶଳା ବାରିକ ଟୋକାଟାକୁ ଆଣି ମୁଁ କି ହରକତ ହେଲି । ପ୍ରତି ଦିନ ଗୋଟିଏ ଗୋଟିଏ ଅଜବ ଘଟଣା ଦେଖି ଆସି ମୋତେ ବଡ ହଇରାଣରେ ପକାଇ ଦେଉଛି । ସେ କହିଲେ ହଉ ହେଲା । ତୁ ଶଳାଟା ସବୁ ବେଳେ ପଂଚମରେ ଥାଉ । ତାହା ହେଲେ ବଟୁଆ ନେ, ଖଣ୍ଡେ ପାନ ଭାଙ୍ଗେ । ମୁଁ ତୋର ସେହି ଘଟଣାର ଅସଲ କାରଣଟା ତୋତେ ଯଥା ଶୀଘ୍ର ବୁଝାଇ ଦେଉଛି ।
ଭାଙ୍ଗିବାକୁ ଟାଣ ହୋଇଲାଟି ଜାଣ

ନାରୀ ମୂର୍ତ୍ତି ଗଢା ସେଠି

ରହିଛି କାରଣ କହୁଅଛି ଧନ

ବୁଜି ଦିଅ ଛତା କାଠି ।

ସେହି ପାଟଳୀପୁତ୍ରର ରାଜା ଥିଲେ ସୌରଭ କୁମାର । ସେଠାରେ ଜଣେ ଖୁବ୍ ଧନୀ ବଣିକ ଥିଲେ । ବଣିକର ନାମ ମହେନ୍ଦ୍ର ଲାଲା । ସେ ବହୁ ରାଜାଙ୍କ ଠାରୁ ଧନ ଶାଳୀ । ଏପରି ପ୍ରତିପତି ଥିବାରୁ ବଣିକ ମହେନ୍ଦ୍ର ଲାଲାଙ୍କ ପାଖକୁ ପଡୋଶୀ ରାଜା ଓ ରାଜ କୁମାର ମାନେ ସେଠାକୁ ଆସି ଥାଆନ୍ତି ।

ସେହି ବଣିକ ମହେନ୍ଦ୍ର ଲାଲାଙ୍କର ଏକ ସୁନ୍ଦରୀ କନ୍ୟା ଥିଲା । ବଣିକର ସେହି ଝିଅ ଆଉ ପୁଅ ମଧ୍ୟ । ଏହା ବ୍ୟତିତ ମହେନ୍ଦ୍ର ଲାଲାଙ୍କ ଭାଗ୍ୟରେ ପୁତ୍ର ନଥିଲା ।

ବଣିକର ଝିଅ ଅମ୍ରିତା ଅତ୍ୟନ୍ତ ରୂପବତୀ ଥିଲେ । ସେହି ରୂପବତୀ କନ୍ୟାର ରୂପରେ ମୋହିତ ହୋଇ ରାଜା ତାକୁ ବିବାହ କରି ଥିଲେ । ଏହି ପରି ବହୁତ ରାଜା ଓ ରାଜ କୁମାର ଅମ୍ରିତା ରୂପରେ ମୋହିତ ହୋଇ ସେଠାକୁ ଆସି ଥାଆନ୍ତି । ରୂପବତୀକୁ ଦେଖି ସେମାନେ ତାଙ୍କୁ ଖୁବ୍ ଆଦର ସ୍ନେହ କରନ୍ତି । ଏପରିକି ରୂପବତୀ ଅମ୍ରିତା ରାଜା ଓ ରାଜ କୁମାର ମାନଙ୍କ ସାଥିରେ ବନ ବିହାରକୁ ଯାଇ ଆନନ୍ଦ କରେ । ସେମାନଙ୍କ ସହିତ ଖେଳେ ଓ ଘୋଡା ରେସ୍ କରି ଗୃହକୁ ଫେରି ଆସେ ।

ଦିନେ ରାଜା ବନ ବିହାରକୁ ଯାଇ ସେଠାରେ ରୂପବତୀ ଅମ୍ରିତାକୁ ଦେଖି ତାକୁ ବିବାହ କରି ରାଜ ଉଆସକୁ ନେଇ ଯାଇ ଥିଲେ । ଅମ୍ରିତା ଖୁବ୍ ଅୟସରେ ତାଙ୍କ ରାଣୀ ଉଆସରେ ରହୁ ଥାଏ । ସେ ଏତେ ରୂପବତୀ ସୁନ୍ଦରୀ ଯେ ଅମ୍ରିତାକୁ ଉଆସରେ ରହିବା ଦେଖି ତା’ ରୂପରେ ମୋହିତ ହୋଇ ସେହି ରାଜ୍ୟର ମନ୍ତ୍ରୀ ପୁଅ ଓ ସେନାପତି ପୁଅ ତା’ ସହିତ ମିଳା ମିଶା କଲେ ।

ରାଣୀ ଅମ୍ରିତା ନିଜର ଉଆସରେ ରହି ମନ୍ତ୍ରୀ ପୁଅ ଓ ସେନାପତି ପୁଅଙ୍କ ସହିତ ମିଳା ମିଶା କରିବା ଦ୍ୱାରା ରାଜ୍ୟ ପାଇଁ ତାହା ପାତକ ହେଲା । ରାଣୀ ଅମ୍ରିତାଙ୍କ ଲାଗି ସେ ରାଜ୍ୟରେ ପାପ ବଢିଲା । ରାଜା ଉଆସରେ ପାପ ପୂର୍ଣ୍ଣ ହୋଇ ଯିବାରୁ ମାଆ ସାନ୍ତାଣୀ ଲକ୍ଷ୍ମୀ ସେହି ରାଜ ଉଆସ ତ୍ୟାଗ କରି ପଳାଇ ଗଲେ ।

ରାଜ୍ୟରୁ ଲକ୍ଷ୍ମୀ ଛାଡି ଯିବାରୁ ରାଜ୍ୟରେ ଦୁର୍ଭିକ୍ଷ, ମହାମାରୀ ପରି ସମସ୍ତ ପ୍ରକାର ବିପଦ ମାନ ମାଡି ଆସିଲା । ରାଣୀ ରୂପବତୀ ଅମ୍ରିତାଙ୍କର ପୂର୍ବ ସୁନ୍ଦରୀ ରୂପ ଆଉ ରହିଲା ନାହିଁ । ସେ କୁରୂପରେ ଦେଖା ଗଲେ । ରାଜା ନିଜ ରାଜ୍ୟ ଓ ପଡୋଶୀ ରାଜ୍ୟରୁ ବଛା ବଛା ବୈଦ୍ୟ ତାନ୍ତ୍ରିକ ଗୁଣିଆ ଯେତେ ଯାହା ଆଣିଲେ ମଧ୍ୟ କିଛି ବି କାମ କଲା ନାହିଁ । ରାଜ କୁମାରୀ (ରାଣୀ) ଅମ୍ରିତା ଆଉ କେବେ ଭଲ ହେଲେ ନାହିଁ । ପଡୋଶୀ ଶତ୍ରୁ ମାନେ ତାଙ୍କ ରାଜ୍ୟକୁ ଖଣ୍ଡ ଖଣ୍ଡ କରି ନିଜ ଦଖଲକୁ ନେଇ ଗଲେ । ଶେଷରେ ଏହି ରାଣୀ ଲାଗି ରାଜାଙ୍କର ରାଜ୍ୟ ଗଲା, ସିଂହାସନ ଗଲା, ଶେଷରେ ସେ ପାପିନୀ ରାଣୀର ମଧ୍ୟ ମୃତ୍ୟୁ ହୋଇଗଲା ।

ଏହା ପରେ ଦୁର୍ଭାଗ୍ୟ ଯେ ରାଜା ସୌରଭ କୁମାରଙ୍କର ମାନସିକତା ବଢି ଯିବାରୁ ସେ ପାଗଳ ପ୍ରାୟ ମୃତ ରାଣୀଙ୍କୁ କାନ୍ଧରେ ବୋହି ଚାରି ଆଡେ ଭ୍ରମଣ କରିବାକୁ ଲାଗିଲେ । ଶେଷରେ ରାଣୀଙ୍କ ଶବ ପଚି ଗନ୍ଧ ହେବାରୁ ପଥଚଲା ଲୋକ ରାଜାଙ୍କୁ ଛି’ ଛାକର କରନ୍ତେ ରାଜା ବାଧ୍ୟ ହୋଇ ସେହି ଶବକୁ ନେଇ ଗଙ୍ଗାରେ ପକାଇ ଦେବାକୁ ଗଲା ବେଳେ ମା’ ସାଆନ୍ତାଣୀ ଜଗତ ଜନନୀ ଲକ୍ଷ୍ମୀ ଓ ସଦାଶିବ ସେଠାରେ ଉପସ୍ଥିତ ହୋଇ ସେହି ମୃତ ରାଣୀଙ୍କୁ ବଂଚାଇ ଦେଲେ । ଆଉ କହିଲେ ହେ ରାଜା – ତୁମର କଲା କର୍ମର ଫଳ ଭୋଗ ସରିଲା । ଏବେ ଯାଅ ତୁମେ ତୁମ ରାଣୀଙ୍କୁ ଧରି ସୁଖରେ ରୁହ ।

ଏହା ପରେ ଅନ୍ନପୂଣ୍ଣା ଓ ସଦାଶିବ ସେଠାରୁ ଅନ୍ତର୍ଦ୍ଧାନ ହୋଇ ଗଲେ । ରାଜା ରାଣୀଙ୍କୁ ନେଇ ନିଜର ରାଜ୍ୟ ନଥିବାରୁ ଗଙ୍ଗା କୂଳ ଠାରେ ଗୋଟିଏ କୁଡିଆ ନିର୍ମାଣ କରି ରହିଲେ । ରାଜ କୁମାରୀ ଅମ୍ରିତା ମଧ୍ୟ ଆଗ ଠାରୁ ଆହୁରି ସୁନ୍ଦରୀ ଦେଖା ଗଲା ।

ଏହି ପରି କିଛି ଦିନ ବିତି ଗଲା । ରାଜା ସୌରଭ କୁମାର ଓ ରାଜ କୁମାରୀ ଅମ୍ରିତା ସେହି କୁଟୀର ମଧ୍ୟରେ ଥିବା ବେଳେ ରାଜା ଥରେ ବାହାରକୁ କୌଣସି କାର୍ଯ୍ୟରେ ବାହାରି ଗଲେ । ଠିକ୍ ଏହି ସମୟରେ ମହାରାଷ୍ଟ୍ରର ରାଜା ଓ ଯୁବରାଜ ବନ ଭ୍ରମଣରେ ଯାଉଥିବା ସମୟରେ ସେମାନେ ରାସ୍ତାରେ ଅଟକି ଗଲେ । ପତ୍ର କୁଡିଆ ମଧ୍ୟରେ ଅମ୍ରିତା କୁମାରୀକୁ ଦେଖି ମହାରାଷ୍ଟ୍ରର ରାଜ କୁମାର ବିସ୍ମିତ ହୋଇ ଗଲା । ଉଭୟଙ୍କର ଦେଖା ସାକ୍ଷାତରେ ଅତୀତର କଥାକୁ ମନେ ପକାଇ ରାଜ କୁମାରୀ ଅମ୍ରିତା କହିଲା – ମୋତେ ଜଣେ ଭୃତ୍ୟ ଆଣି ଏଠାରେ ରଖିଛି । ତୁମର ଯେବେ ମୋ ପ୍ରତି ଲୋଭ ଅଛି ତ ମୋତେ ଏଠାରୁ ନେଇ ପଳାଇ ଚାଲ ।

ମହାରାଷ୍ଟ୍ରର ରାଜ କୁମାର ମଧ୍ୟ ବହୁତ ଦିନ ହେଲା ରାଜ କୁମାରୀ ଅମ୍ରିତାଙ୍କୁ ଖୋଜୁ ଥିଲା । ଭାଗ୍ୟ ଭଲ ଆଜି ସେ ତାକୁ ନିକଟରେ ପାଇଥିବାରୁ ରାଜ କୁମାରୀ ଅମ୍ରିତାକୁ ସଙ୍ଗେ ସଙ୍ଗେ ନିଜ ଅଶ୍ୱରେ ବସାଇ ନେଇ ସେଠାରୁ ପଳାଇ ଗଲା ଓ ନିଜ ରାଜ୍ୟରେ ପହଁଚି ସେହି ରାଜ କୁମାରୀ ଅମ୍ରିତାକୁ ବିବାହ କଲା । ଏହା ପରେ ରାଜ କୁମାରୀ ଅମ୍ରିତା ସେଠାରେ ରାଜ ବନ୍ଧୁ ଭାବରେ ରହିଲା ।

ଦିନକର କଥା, ରାଜ କୁମାରୀ ଅତୀତରେ ଯେଉଁ ମନ୍ତ୍ରୀ ପୁଅ ସାଥିରେ ମିଳା ମିଶା କରୁ ଥିଲା ହଠାତ୍ ତା’ର ସେହି ମନ୍ତ୍ରୀ ପୁଅ ସାଥିରେ ଭେଟ ହେଲା । ମନ୍ତ୍ରୀ ପୁଅକୁ ଦେଖି ଖୁବ୍ ଆନନ୍ଦ ହେଲା ସେହି ରାଜ କୁମାରୀ ଅମ୍ରିତା । ସେଦିନ ସେ ମନ୍ତ୍ରୀ ପୁଅକୁ ପାଖକୁ ଡାକି ତାକୁ ନିଜ ଅତୀତର ସମସ୍ତ କଥା କହିଲା ଓ ମହାରାଷ୍ଟ୍ରର ରାଜା ପୁଅ ନଥିବା ସମୟରେ ତୁମେ ମୋ ପାଖକୁ ଆସିବ ବୋଲି ତାକୁ ବହୁ ଅନୁାରାଧ ମଧ୍ୟ କଲା ।

ପୂର୍ବ ଠାରୁ ରାଜ କୁମାରୀ ଅମ୍ରିତା ଅତି ସୁନ୍ଦରୀ ଦେଖା ଯାଉ ଥିବାରୁ ମନ୍ତ୍ରୀ ପୁଅ ତା’ ରୂପରେ ମୋହିତ ହୋଇ ସବୁ ଦିନ ଆସି ତା ସହିତ ସାକ୍ଷାତ କଲା । ଏମିତି କିଛି ଦିନ ଯାଆସ କରନ୍ତେ ଅମ୍ରିତା ସୁନ୍ଦରୀ ସାଥିରେ ସେ ମନ୍ତ୍ରୀ ପୁଅ ରତି କ୍ରୀଡା ମଧ୍ୟ କଲା । ମନ୍ତ୍ରୀ ପୁଅ ଓ ଅମ୍ରିତାର ମନ ଏକ ହେବାରୁ ଦୁହିଁଙ୍କ ମନରେ କୁବୁଦ୍ଧି ପ୍ରବେଶ କରନ୍ତେ ସେ ଦୁହେଁ ଏହି ରାଜ୍ୟ ଛାଡିବାକୁ ଇଚ୍ଛା କଲେ । ପରି ଶେଷରେ ସେହି ମନ୍ତ୍ରୀ ପୁଅ ଅମ୍ରିତାକୁ ନିଜ ଘୋଡାରେ ବସାଇ କାଶ୍ମୀର ନାମକ ଏକ ରାଜ୍ୟକୁ ନେଇ ପଳାଇ ଗଲା ।

ଅମ୍ରିତା ସହିତ ମନ୍ତ୍ରୀ ପୁଅ ସେଠାରେ କିଛି ଦିନ ବସବାସ କଲେ । ଅମ୍ରିତା ଦେଖିଲାଯେ ସେହି ଦେଶର ଯୁବକ ମାନେ ତାଙ୍କ ରାଜ୍ୟର ଯୁବକ ମାନଙ୍କ ଠାରୁ ରୂପରେ ଓ ଗୁଣରେ ଅତି ସୁନ୍ଦର । ସେମାନଙ୍କ ଅମାପ ଧନ ସମ୍ପତି ମଧ୍ୟ ରହିଛି । ପୁଣି ରସିକତା କରିବାରେ ସେମାନେ ଖୁବ୍ ଧୁରନ୍ଧର ମଧ୍ୟ ।

ଚରିତ୍ରା ହୀନା ଅମ୍ରିତା ମନ୍ତ୍ରୀ ପୁଅର ଅଜାଣତରେ କାଶ୍ମୀର୍ର ଯୁବକ ମାନଙ୍କ ସହିତ ଗୋପନରେ ରତି କ୍ରୀଡା କଲା । ଅନେକ ସମୟରେ ମନ୍ତ୍ରୀ ପୁଅ ପାଖରେ ରହୁ ଥିବାରୁ ଅମ୍ରିତା କୌଶଳ କରି ମନ୍ତ୍ରୀ ପୁଅକୁ ମଧ୍ୟ ମାରି ଦେଇ ସେଠାରେ ପୁନଶ୍ଚ ଗଣିକା କାର୍ଯ୍ୟ ଆରମ୍ଭ କରି ଦେଲା ।
ଏଣେ ରାଜା ବନରୁ ଫେରି ଆସି ଦେଖିଲେ ରାଣୀ ଅମ୍ରିତା ତାଙ୍କ ପତ୍ର କୁଟୀରରେ ନାହିଁ । ପୂର୍ବରୁ ଏହି ଅମ୍ରିତା ଲାଗି ରାଜା ନିଜ ରାଜ୍ୟ, ରାଜ ଉଆସ ତଥା ପ୍ରଜା ସବୁକୁ ହରାଇ ଦରିଦ୍ର ହୋଇ ଯାଇ ଥିଲେ । ଏବେ ପୁଣି ରାଣୀ ଅମ୍ରିତାକୁ ହରାଇବା ପରେ ରାଜା ପାଗଳ ପ୍ରାୟ ହୋଇ ବୁଲିବାକୁ ଆରମ୍ଭ କଲେ ।

ସେତେବେଳେ ଅମ୍ରିତାଙ୍କର ପିତା ବୁଢା ହୋଇ ଗଲେଣି । ସେ ତାଙ୍କ ଜ୍ୱାଇଁଙ୍କର ଏପରି ଦୁଃଖଦ ସମ୍ବାଦ ଶୁଣି ମର୍ମାହତ ହେଲେ । ଏହା ପରେ ଦିନେ ସେହି ରାଜ୍ୟର ବୃଦ୍ଧ ରାଜା ବିଶ୍ୱନାଥ ମନ୍ଦିରରେ ଦିଅଁ ଦର୍ଶନରେ ଯାଇ ଥିବା ବେଳେ ପାଗଳ ପ୍ରାୟ ବୁଲୁଥିବା ଅବସ୍ଥାରେ ତାଙ୍କ ଜୋଇଁଙ୍କୁ ଭେଟିଲେ । ଜୋଇଁଙ୍କୁ ବୁଝାଇ ସୁଝାଇ ନିଜ ଉଆସକୁ ନେଇ ଗଲେ । ଦିନେ ସଦାଶିବ ସେହି ବୃଦ୍ଧ ରାଜାଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କ ଝିଅ ଜୋଇଁଙ୍କର ପୂର୍ବରୁ ଯାହା ଯାହା ସବୁ ଘଟି ଯାଇ ଥିଲା ସେ ସବୁ କଥାକୁ ତାଙ୍କୁ ଜଣାଇ ଦେଲେ । ଏହା ପରେ ସଦାଶିବଙ୍କ କୃପାରୁ ସୌରଭ କୁମାର ଆଉ ଥରେ ରାଜା ହେଲେ । ତାପରେ ବୁଢା ରାଜା ମରି ଗଲେ । ସେହି ବୃଦ୍ଧ ରାଜାଙ୍କର ତ ଗୋଟିଏ କନ୍ୟା ଥିଲା । ଏବେ ସୌରଭ କୁମାର ପୁନଃ ରାଜା ହୋଇଯିବା ପରେ ତାଙ୍କ ସହିତ ସେହି କନ୍ୟାର ବିବାହ ହେଲା । ଶ୍ୱଶୂର ରାଜା ମରିବା ଆଗରୁ ତ ତାଙ୍କ ରାଜ୍ୟର ସମସ୍ତ ଧନ ରତ୍ନ ତାଙ୍କ ଜୋଇଁଙ୍କୁ ଦେଇ ଦେଲେ ।

ଏହା ପରେ ରାଜା ସୌରଭ କୁମାର ତାଙ୍କ ସ୍ୱର୍ଗୀୟ ଶ୍ୱଶୂରଙ୍କ ନାମରେ ଏକ ଧର୍ମଶାଳା ତୋଳାଇଲେ । ଏହାକୁ ଯାତ୍ରୀ ନିବାସ ଭାବରେ ବ୍ୟବହାର କରିବାକୁ ନିୟମ ବାନ୍ଧି ଦେଲେ । ଏହା ପରେ ତାଙ୍କ ରାଜ୍ୟରେ ଥିବା ସମସ୍ତ ଗୁପ୍ତଚରଙ୍କୁ ଅମ୍ରିତା କୁମାରୀର ସଂଧାନ ନେବାକୁ ନିଯୁକ୍ତି କଲେ । ନୂଆ କରି ରାଜା ହୋଇଥିବା ସୌରଭ କୁମାରଙ୍କ ଆଦେଶରେ ଗୁପ୍ତଚର ମାନେ ନିୟତରେ ଗୁପ୍ତଚର କାମ କରିବାରୁ ସେମାନେ ରାଣୀ ଅମ୍ରିତା କାଶ୍ମୀର୍ ଠାରେ ରହୁ ଥିବାର ସମ୍ବାଦ ଆଣି ରାଜା ସୌରଭ କୁମାରଙ୍କ ପାଖରେ ପହଁଚାଇଲେ । ଅମ୍ରିତା ଦୁଇ ଚାରି ଦିନ ଏଠାରେ ରହିବାରୁ ସେ ତା ମନ ମଧ୍ୟରେ ପୁଣି ମାୟା ରଚିଲା । ସେ ତା’ର ପୂର୍ବ ପରିଚୟ ନଦେଇ କହିଲା ମୁଁ ଅମ୍ରିତା ବୋଲି ଯାହା କହୁଛି ମୁଁ ତାହା ନୁହେଁ । ମୁଁ କାଶ୍ମୀର୍ ରାଜ୍ୟର କନ୍ୟା । ସେ ଆଜି ଯାଏଁ ଅବିବାହିତ ରହି ଆନନ୍ଦରେ ରହି ସମୟ ଅତିବାହିତ କରୁଛି ।

ଅମ୍ରିତା କେତେ ଗୁଡାଏ ଡାହା ମିଥ୍ୟା କଥା ମାନ କହୁଛି ଏଥିରେ ରାଜାଙ୍କର ରାଗ ପାଦ ଠାରୁ ଯାଇ ମଥାରେ ରହିଲା । ସେ କ୍ରୋଧିତ ହୋଇ ସଦାଶିବଙ୍କ ଠାରୁ ପ୍ରାପ୍ତ ହୋଇଥିବା ମନ୍ତ୍ରକୁ ପ୍ରୟୋଗ କଲେ । ଏପରି କନ୍ୟା ସଂସାରରେ ରହିଲେ ବହୁ ଲୋକଙ୍କର ବହୁ ବିନାଶର କାରଣ ହେବ । ତେଣୁ ତାକୁ ପାଷାଣ କରି ଦେବା ଦରକାର ।

ସଦାଶିବଙ୍କ ମନ୍ତ୍ରରେ ଅମ୍ରିତା ପାଷାଣ ହୋଇ ଗଲା । ସେହି ପାଷାଣୀର ମୂର୍ତ୍ତି ଯେଉଁଠାରେ ରହିଲା ରାଜା ସେହି ଗଙ୍ଗା କୂଳରେ ଗୋଟିଏ ଚଉତରା ନିର୍ମାଣ କରି ଲେଖି ଦେଲେ – ସଂସାରରେ ଆଉ ନାରୀ ମାନଙ୍କୁ ବିଶ୍ୱାସ କରିବାକୁ ହେବ ନାହିଁ । କାରଣ ଏହି ଅବିଶ୍ୱାସିନୀ ନାରୀ ପାଇଁ ସେହି ରାଜା ଦିନେ ଲକ୍ଷ୍ମୀ ଛଡା ହୋଇ ଥିଲେ ।

ପଢ଼ିସାରି, କିପରି ଲାଗିଲା ଜଣାନ୍ତୁ ।ଉନ୍ନତ ହୋଇପାରିଥାନ୍ତା ।ଆଉ ଟିକେ ଚେଷ୍ଟା ଦରକାର ।ପଢିକି ଭଲ ଲାଗିଲା ।ସତରେ ବହୁତ ଭଲ ।ଓଃ, କି ଲେଖା ଚମତ୍କାର ।ପଢ଼ିସାରି, କିପରି ଲାଗିଲା ଜଣାନ୍ତୁ ।

ସୋସିଆଲ ମିଡ଼ିଆରେ ସେୟାର କରନ୍ତୁ ।

sangram_mokahani.in (2).png
sangram_mokahani.in (1).png
sangram_mokahani.in.png

ଲକ୍ଷ୍ମୀ ଛଡ଼ା ରାଜା କଥା

13

ସମସ୍ତେ କହନ୍ତି ନାରୀ ସନ୍ତାନ ମାନଙ୍କର ଜନନୀ । ଆଉ ପୁଣି ସନ୍ତାନ ମାନେ ଏ ଦେଶର ଭବିଷ୍ୟତ । ନାରୀ ମାତୃସ୍ୱରୂପା, ନାରୀ ସର୍ବ ସହଣୀ ।

bottom of page