ପଢିବା ସହ ସଙ୍ଗୀତର ମଜା ନିଅନ୍ତୁ ।
ଉଜ୍ଜୟିନୀ ରାଜ୍ୟରେ ଜଣେ ଶିବଭକ୍ତ ବ୍ରାହ୍ମଣ ଥିଲେ ଯାହାଙ୍କ ନାମ ଥିଲା ଚତୁର୍ଭୁଜ ଆଚାର୍ଯ୍ୟ । ସତ୍ୟନିଷ୍ଠ ହେଇ ସେ ସର୍ବଦା ଭଗବାନ ଶିବଙ୍କର ପୂଜା ଅର୍ଚ୍ଚନା କରୁଥିଲେ । ଭଗବାନ ସଦାଶିବଙ୍କ ଦୟାରୁ ବୃଦ୍ଧା କାଳରେ ଗୋଟିଏ ପୁତ୍ର ସନ୍ତାନ ପାଇଥିଲେ । ଶ୍ରଦ୍ଧାରେ ପୁତ୍ରର ନାମ ରଖିଥିଲେ ବିଦ୍ୟାପତି ।
ପୁଅ ବିଦ୍ୟାପତି ବାପା ମାଆଙ୍କର ଏତେ ଗେଲବସର ଥିଲା ଯେ ତା'ର ପ୍ରତ୍ୟେକଟି ଅପରାଧ ବି ସେମାନଙ୍କ ଆଗରେ ତୁଚ୍ଛ ଥିଲା । ବିଦ୍ୟାପତି ର ଅନ୍ତରଙ୍ଗ ବନ୍ଧୁ ଥିଲା ବିଷ୍ଣୁ ଦାସ । ସେ ମଧ୍ୟ ବିଦ୍ୟାପତି ର ଅନୁରୂପ । ଦିନକୁ ଦିନ ସେ ଦୁହିଁଙ୍କର ବୟସ ବଢିବା ସଙ୍ଗେ ସଙ୍ଗେ କୁସ୍ଵାଭବ ବଢିଚାଲିଲା । ତେଣୁ ବାପାମାଆ ଚିନ୍ତା କଲେ ଯେ ପୁଅକୁ ଭଲ ଝିଅଟେ ଦେଖି ବିବାହ କରିଥିଲେ ତା'ର ସ୍ବାଭାବ ରେ ପରିବର୍ତ୍ତନ ଆସିଯାଆନ୍ତା । ଏହିକଥା ଚିନ୍ତାକରି ବ୍ରାହ୍ମଣ ଆଚାର୍ଯ୍ୟ ପାଖ ଶାସନରେ ଗୋଟିଏ ଅପୂର୍ବ ସୁନ୍ଦରୀ ଝିଅ ଟିଏ ଦେଖିଲେ , ନାଁଟି ତାର କଲ୍ୟାଣୀ । ପଦ୍ମଫୁଲ ପରି ମୁହଁ, ଅପୂର୍ବା ଅପରୂପା । କନ୍ୟାଟିକୁ ଦେଖି ବୋହୂ କରିବାକୁ ମନସ୍ଥ କଲେ ଆଚାର୍ଯ୍ୟ । ପରଦିନ ପୁଅ ବିଦ୍ୟାପତି କୁ ଉକ୍ତ ଝିଅଟିକୁ ଦେଖି ଆସିବାକୁ କହିଲେ ।
ପରଦିନ ବିଦ୍ୟାପତି ନିଜର ବନ୍ଧୁ ବିଷ୍ଣୁ ଦାସ ଙ୍କୁ ନେଇ ଉକ୍ତ ଶାସନକୁ ଗଲେ । ଗାଁରେ ପସୁ ପସୁ ଗୋଟିଏ ପଦ୍ମ ପୋଖରୀ ଦେଖି ଦୁହେଁ ଅଟକି ଗଲେ, ପୋଖରୀ ର ସୌନ୍ଦର୍ଯ୍ୟରେ ଅଭିଭୁତ ହେଇ ନୁହେଁ ବରଂ ପୋଖରୀରେ ଜଳକ୍ରୀଡା କରୁଥିବା ସୁନ୍ଦରୀ ରମଣୀ ମାନଙ୍କୁ ଦେଖି । ଦୁହିଁଙ୍କର ମନ୍ଦ ସ୍ଵଭାବ ଯେଉଁଠିକୁ ଗଲେ ମଧ୍ୟ କମେନି । ଲୋଭିଲା ଆଖିରେ ଆୟତ ନଥାଏ ବନ୍ଧୁ ବିଷ୍ଣୁ ଦାସଙ୍କର , ପୋଖରୀ ହୁଡ଼ାରେ ସଦ୍ୟ ସ୍ନାନ ସାରି ଓଦା ବସ୍ତ୍ର ପରିହିତା ଅପୂର୍ବ ସୁନ୍ଦରୀ ଝିଅଟିକୁ ଅଟକାଇ କହିଲେ କିଏ ତୁମେ ସୁନ୍ଦରୀ ନାମ ତୁମର କଣ ? ଲାଜ ଜର ଜ ହେଇ କନ୍ୟା ଜଣକ ଉତ୍ତରରେ କହିଲା ଯେ ମୁଁ ଜଣେ ଗରିବ ବ୍ରାହ୍ମଣ କନ୍ୟା ନାମ ମୋହର କଲ୍ୟାଣୀ । ନାଁଟି ଶୁଣି କ୍ଷୋଭ ପ୍ରକାଶ କରି ବିଷ୍ଣୁ ଦାସ କହିଲା, ଆହାଃ ତୁମେ ତାହେଲେ ମୋର ହେବାକୁ ଥିବା ବନ୍ଧୁପତ୍ନୀ । ଯଦି ବନ୍ଧୁ ପତ୍ନୀ ହେଇନଥାନ୍ତ ତାହେଲେ ଏ ବିଷ୍ଣୁ ଦାସ ତୁମକୁ ମହାରାଣୀ କରି ରଖିଥାନ୍ତା । ଧିକ୍କାର କରି କଲ୍ୟାଣୀ ଉତ୍ତର ଦେଲାଯେ ଯେଉଁ ପୁରୁଷ ଗୋଟିଏ ଲଜ୍ୟାଶୀଳା ଓଦାବସ୍ତ୍ର ପରିହିତା ନାରୀକୁ ବାଟ ଅବରୋଧ କରି ପ୍ରେମ ନିବେଦନ କରେ ଆଉ ପୁଣି ବନ୍ଧୁପତ୍ନୀ ଜାଣି ମଧ୍ୟ, ସେ ପୁରୁଷକୁ କେବେ ବି ସମ୍ମାନ ର ଯୋଗ୍ୟ ନୁହେଁ । ଅପମାନରେ ଡହ ଡହ ନିଆଁରେ ଅଷ୍ଟାଙ୍ଗ ଦେହ ଜଳୁଥାଏ ବିଷ୍ଣୁ ଦାସ ର । ଭବିଷ୍ୟତରେ ଏହାର ପ୍ରତିଶୋଧ ନିଶ୍ଚୟ ନେବ ବୋଲି ଚିନ୍ତା କରି ବନ୍ଧୁ ବିଦ୍ୟାପତିଙ୍କୁ ଧରି ଫେରିଆସିଲା । ଘରେ ପହଞ୍ଚି ବନ୍ଧୁ ବିଦ୍ୟାପତିଙ୍କର ଝିଅ ପସନ୍ଦ ବୋଲି ବ୍ରାହ୍ମଣ ଙ୍କ ଆଗରେ କହିଲା ବିଷ୍ଣୁ ଦାସ ।
କୁଶଳ ମଙ୍ଗଳରେ ବିବାହ ସମ୍ପୂର୍ଣ୍ଣ ହେଲା । କଲ୍ୟାଣୀ ବାପଘର ଛାଡ଼ି ଶାଶୁଘର ଗଲା । କିଛିଦିନ ପରେ ବନ୍ଧୁ ବିଷ୍ଣୁ ଦାସ ଆସିଲେ ବୁଲିବାକୁ । ଘରେ ଶାଶୁ ଶ୍ୱଶୁର କେହି ନଥାନ୍ତି, ନିକଟସ୍ଥ ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିଯାଇଥାନ୍ତି । ଏହି ସୁବିଧା ର ସୁଯୋଗ ନେଇ ବନ୍ଧୁ ବିଷ୍ଣୁ ଦାସ ମନ ରାଗ ମନରେ ରଖି, ଅପମାନର ଜ୍ୱଳାରେ , ଏକଦମ୍ ପ୍ରତିଶୋଧ ପରାୟଣ ହେଇ ଘର ଭିତରକୁ ପଶିଲେ । ତାଙ୍କୁ ଏତେଦିନ ପରେ ଦେଖି ବିଦ୍ୟାପତି ମଧ୍ୟ ଖୁସି ହେଲେ ଆଉ କଲ୍ୟାଣୀଙ୍କୁ ବନ୍ଧୁଙ୍କର ଆଦର ଚର୍ଚ୍ଚା କରିବାକୁ ନିର୍ଦ୍ଦେଶ ଦେଲେ ।
ବନ୍ଧୁ ପତ୍ନୀଙ୍କ ହାତରନ୍ଧା ଖାଇ ବିଦ୍ୟାପତିଙ୍କ ସାଙ୍ଗରେ ହସ ଗପ କରିବାକୁ ଲାଗିଲେ ବିଷ୍ଣୁ ଦାସ । ମନ୍ଦ ସ୍ଵଭାବି ବିଷ୍ଣୁ ଦାସ ହଠାତ୍ କହିଲେ ଯେ ଖିଆପିଆ ପର୍ବ ପରେ ଯଦି ବନ୍ଧୁ ବିଦ୍ୟାପତି ଆମୋଦପ୍ରମୋଦ ନୃତ୍ୟ ସଙ୍ଗୀତ ର ଆୟୋଜନ କରନ୍ତେ ତାହେଲେ ଭାରି ଭଲଲାଗନ୍ତା । ବନ୍ଧୁଙ୍କ ମୁହଁରୁ ଏକଥା ଶୁଣି ବିଦ୍ୟାପତି ସଙ୍ଗେ ସଙ୍ଗେ ପତ୍ନୀ କଲ୍ୟାଣୀ ଙ୍କୁ ଆଦେଶ ଦେଲେ ନୃତ୍ୟ ପରିବେଷଣ କରିବାକୁ । ଛି! କେତେ ଅସଂଗତ କଥା କହୁଛନ୍ତି ସ୍ଵାମୀ , ମାସକର ନୁଆ ବୋହୂଟେ ମୁଁ , ଗୋଟିଏ ପରପୁରୁଷ ଆଗରେ କେମିତି ନୃତ୍ୟ କରିବି ! ପୁଣି ଯଦି ନମାନିବି ତାହେଲେ ଧର୍ମ ଦ୍ରୋହି ହେବି କାରଣ ସ୍ତ୍ରୀ ର ଧର୍ମ ସ୍ଵାମୀଙ୍କ ପ୍ରତ୍ୟେକ ଟି ବଚନକୁ ଶ୍ରଦ୍ଧାରେ ପାଳନ କରିବା । ତେବେ ମୋର କଣ କରିବା ଉଚିତ ? ଗୋଟିଏ ଭୁଲଠିକ ର ଦୋଛକିରେ ଠିଆ ହେଇ ଚିନ୍ତା କରୁଥିଲା କଲ୍ୟାଣୀ । ତେବେ ଗୋଟିଏ ନାରୀ ର ପ୍ରଥମ ଧର୍ମ ହେଲା ସ୍ଵାମୀଙ୍କ କଥାକୁ ସର୍ବପ୍ରଥମେ ଗୁରୁତ୍ଵ ଦେବା । ତେଣୁ କାନ୍ଦ କାନ୍ଦ ହେଇ ସେ ନୃତ୍ୟ ଆରମ୍ଭ କଲେ ।
କିଛି ସମୟପରେ ଶାଶୁ ଶ୍ୱଶୁର ଆସି ପହଞ୍ଚିଗଲେ ଆଉ ନବବଧୂ ର ଏହି ପରପୁରୁଷ ଆଗରେ ନୃତ୍ୟରେ ଅବସ୍ଥାରେ ଦେଖି ଅତ୍ୟନ୍ତ କ୍ଷୋଭ ଆଉ କ୍ରୋଧ ଜର୍ଜରିତ ହେଇ ଭର୍ତ୍ସନା କଲେ ଆଉ ନିଜର ଏହି ବ୍ୟଭିଚାରିଣୀ ପ୍ରକୃତି ପାଇଁ ଘରୁ ବାହାରି ଯିବା କୁ କହିଲେ । କଲ୍ୟାଣୀ ଯେତେ ମତ କହିଲେ ବି ଉତ୍ୟକ୍ତ ଶାଶୁ ଶ୍ୱଶୁର ତାଙ୍କୁ ଘରୁ ବାହାର କରିଦେଲେ । ସବୁଠୁ ବଡ଼ କଥା ହେଲା ଯେ ଯେଉଁ ସ୍ଵାମୀଙ୍କ ପାଇଁ ସେ ଆଜି ଘରୁ ବାହାରି ଗଲେ ସେହି ସ୍ଵାମୀ ପତ୍ନୀ କଲ୍ୟାଣୀ ଙ୍କୁ ଏ ପରିସ୍ଥିତିରେ ବଞ୍ଚେଇବା ପରିବର୍ତ୍ତେ ଆହୁରି କୁଟିଳ ହସ ହସୁଥାନ୍ତି ବନ୍ଧୁ ବିଷ୍ଣୁ ଦାସଙ୍କ ସହିତ ।
କାନ୍ଦି କାନ୍ଦି ଅଭିମାନ ରେ କଲ୍ୟାଣୀ ଫେରି ଆସିଲା ବାପଘରକୁ । ମାତ୍ର ସେଠି ବି ସମଦଶା । ବାପଘର ନାଁ ପକାଇ କୋଉ ମୁହଁରେ ଆସିଛୁ କହି ବାହାର କରିଦେଲେ ।
ଶେଷରେ ନ୍ୟାୟ ଟିକେ ପାଇବା ପାଇଁ ଧାଇଁ ଆସିଥିଲେ ରାଜା ବିକ୍ରମ କେଶରୀ ଭଞ୍ଜଙ୍କ ପାଖକୁ ଯେ ସେଠୁ ବି ନିରାଶା ହେଇ ଫେରିଗଲେ । ସବୁଠାରୁ ନ୍ୟାୟ ପାଇବାରୁ ବଞ୍ଚିତା ହେଲାପରେ କୋହଭରା ହୃଦୟରୁ ରାଜାଙ୍କୁ ଅଭିଶାପ ଦେଇ ଗଙ୍ଗାନଦୀ ଆଡ଼କୁ ଚାଲିଲେ ଆତ୍ମହତ୍ୟା କରିବାକୁ ।
ଗଙ୍ଗାନଦୀ ଆଡ଼କୁ ଯିବା ବାଟରେ ପୁଣି ଭେଟିଲେ ବିଷ୍ଣୁ ଦାସଙ୍କୁ । ମନ୍ଦ ସ୍ଵଭାବ ବିଷ୍ଣୁ ଦାସ ପୁଣି ସେହି ଖରାପ ଇଙ୍ଗିତ କଲେ କଲ୍ୟାଣୀ କୁ ଦେଖି । ଏଥର କିନ୍ତୁ ଆଉ ଚୁପ୍ ରହିଲେ ନାହିଁ କଲ୍ୟାଣୀ । କ୍ରୋଧ ଜର୍ଜରିତ ହୋଇ କହିଲେ ହେ ପାପୀ , ତୋରି ପାଇଁ ଆଜି ମୋର ଏ ଦଶା । ତେଣୁ ମୁଁ ଆଜି ତୋତେ ଅଭିଶାପ ଦେଉଛି ଯେ , ସତରେ ଯଦି ମୁଁ ସତୀ ଆଉ ପବିତ୍ର ହେଇଥାଏ ତେବେ ମୋ ଅଭିଶାପରେ ତୁ କୁଷ୍ଠ ଆକ୍ରାନ୍ତ ହେଇଯା । ।
ଉଚ୍ଛୁଳା ଗଙ୍ଗା ନଦୀ ତୀରେ ଦୁଃଖିନୀ କଲ୍ୟାଣୀ । ଶେଷ ନ୍ୟାୟ ପ୍ରାର୍ଥନା ଗଙ୍ଗା ମାତା ପାଖରେ । ହେ ମାତା ! ତୁମେ ଯଦି ପାପୀ ମାନଙ୍କ ର ପାପ ଧୋଇ ଧୋଇ ଅପବିତ୍ରା ହେଇନ ତେବେ ମୁଁ ମୋର ପତ୍ନୀଧର୍ମ ପାଳନ କରି ପାପିନୀ ବ୍ୟଭିଚାରିଣୀ କେମିତି ହେଲି ।
ଥକିଗଲିଣି ମା' , ମୁଁ ସତରେ । ମୋତେ କୋଳେଇ ନିଅ ନହେଲେ ନ୍ୟାୟ ଦିଅ ।
ଆକାଶ କୁ ଉଜ୍ଜ୍ୱଳିତ କରି ଗଙ୍ଗାଦେବୀ ପ୍ରକଟ ହେଲେ । ଆଉ ବରଦାନ ଦେଇ କହିଲେ , ହେ କଲ୍ୟାଣୀ ତୁମେ ପବିତ୍ର ତୁମ ପତି ସେବା ବି ପବିତ୍ର । ନଦୀ ର ଆରପାରି ରେ ସୁନ୍ଦର ଭବନଟିଏ ମୁଁ ବ୍ୟବସ୍ଥା କରିଦେଇଛି । ନିଜର ନାମ ପରିବର୍ତ୍ତନ କରି ନିଜର ପ୍ରତିଶୋଧ ପୁରା କର ।
ସେବେଠାରୁ କଲ୍ୟାଣୀ ନିଜର ନାମ ପରିବର୍ତ୍ତନ କରି ରଖିଲେ "ଲକ୍ଷେ ହୀରା"I
କ୍ରମଶଃ...
ରୋଜାଲିନ ବେହେରା
ପାଟସୁନ୍ଦର ପୁର
ଫୁଲନଖରା, କଟକ