ପଢିବା ସହ ସଙ୍ଗୀତର ମଜା ନିଅନ୍ତୁ ।
କଳା ମେଘ ତଳେ ଧଳା କଇଁର ହାଟ
ରାତି ୪ଟାରେ ନିଦ ଭାଜିଲା । ଟ୍ରେନ୍ ଧୀରେ ଧୀରେ ଚାଲିଥାଏ । ଭୋର ୫ଟାରେ ନିତ୍ୟକର୍ମ ସାରିଦେଲି । ଚଉଦିଗ ଫରଚା ଦିଶିଲା । ଯାତ୍ରୀମାନେ ଗୋଟିଏ ଗୋଟିଏ ଉଠିଲେ । ମେଘୁଆ ସକାଳ । ମାତ୍ର ଚାଷୀଭାଇମାନେ କାମରେ ଲାଗିଥାନ୍ତି । ରେଳରାସ୍ତା କଡ଼ ନୟନଜୋରି ପାଣିରେ ନାଲି ଓ ଧଳା କଇଁ ବହୁ ସଂଖ୍ୟାରେ ଫୁଟିଥାଏ । ଧଳାକଇଁ ତ ଆକାଶ ତାରା ପରି ଉଜ୍ଜ୍ୱଳ ଦିଶୁଥାଏ । କଳାହାଣ୍ଡିଆ ମେଘ ତଳେ ତା'ର ଉଜ୍ଜ୍ୱଳତା ଆହୁରି ବଢ଼ିଯାଇଥାଏ । ମଝିରେ ମଝିରେ ଝିପ୍ ଝିପ୍ ବର୍ଷା ।
ଜୋରାଇ ଷ୍ଟେସନ ପଡିଲା । ଚା' ଗ୍ଲାସେ ପିଇଲି । ଖୁବ୍ ତଟକା । ତା'ର ମହକ ଭାରି ଭଲ ଲାଗିଲା । ତା'ପରେ ଶ୍ରୀରାମପୁର ଷ୍ଟେସନ । ଜୱାନମାନେ ବାଲି ବସ୍ତା ଘେରାଇ ତା' ଉପରେ ଭାଡ଼ି କରି ଜଗି ବସିଛନ୍ତି । ଚଉତରା ବୋଲି ଆଉ ଏକ ଷ୍ଟେସନ ।
ବୋଡ଼ୋ ଅଞ୍ଚଳ ମଧ୍ୟରେ ଆମେ ଚାଲିଲୁ । ସ୍ତ୍ରୀଲୋକମାନେ ଚାଲିଥାନ୍ତି । ସେମାନଙ୍କର ଗଢ଼ଣ ଓ ସ୍ୱାସ୍ଥ୍ୟ ସୁନ୍ଦର । ପାହାଡ଼ ଘେରା ଅଞ୍ଚଳ । ଦୂର ପାହାଡ଼ ଉପରେ ନୂଆ ମେଘ । ଧୋବ ଫର୍ ଫର୍ ଭିଣାତୂଳା ପରି ଦେଖାଯାଉଥାଏ । ପାହାଡ଼ର ସବୁଜ ସୁନ୍ଦର ମଥାନ ଉପରେ ତାହା ଭାସି ଯାଉଥାଏ ।
ବହୁ ଦିନରୁ ଶୁଣିଥିବା ଓ ଖବରକାଗଜରୁ ପଢ଼ିଥିବା କୋକ୍ରାଝର ଷ୍ଟେସନ ପଡ଼ିଲା । ଭାବିଲି କେଉଁଠି ସୁନ୍ଦର ଝରଣା ଥିବ । ଜଣେ ଯୁବକବନ୍ଧୁ ମୋର ପାଣି ବୋତଲ ନେଇ ଷ୍ଟେସନ ଟ୍ୟୁବୱେଲରୁ ଭର୍ତ୍ତି କରି ଆଣିଲେ । ଖୁବ୍ ନିର୍ମଳ ଜଳ । କେଦାର ଗୌରୀ ପାଣି ପରି ଟିକିଏ ଆମ୍ବିଳିଆ ଲାଗୁଥିଲା । ସମ୍ଭବତଃ ଧାତବ ଗୁଣ ଯୋଗୁ । ତା’ପରେ ବାସୁଗାଓଁ, ନୂଆ ବୋଙ୍ଗାଇଗାଓଁ , ନଳବାଡ଼ି ଷ୍ଟେସନମାନ ମାନ ପଡ଼ିଲା । ଗୌହାଟୀ ଆଉ ସେଠାରୁ ଘଣ୍ଟାକର ବାଟ । ମନ ଉଚ୍ଚାଟ ହୋଇ ଉଠିଲା । ମାତ୍ର ସେତେବେଳକୁ ବାରଟା ବାଜିଲାଣି ।
ସମସ୍ତେ ଯେମିତି ସ୍ୱାଗତ କଲେ
ଏବେ ପାହାଡ଼ମାନ ରେଳରାସ୍ତା ପାଖକୁ ଲାଗି ରହିଥିବା ଦେଖାଗଲା । ମନେ ହେଲା, ଯାତ୍ରୀମାନଙ୍କୁ ସ୍ୱାଗତ କରିବାକୁ ସେମାନେ ହାତ ଧରାଧରି ହୋଇ ଲାଗି ଆସିଲେଣି । ଜଣେ ଲୋକ ଆସି ଗୋଟିଏ ଲେଖାଏଁ ସୁନ୍ଦର ପଇଡ଼ ଧରାଇଲେ । ଥଣ୍ଡା ପାଣିକୁ ମିଠା ଶସ । ଭଲ ଲାଗିଲା, ଖୁବ୍ ଶାନ୍ତି ଲାଗିଲା । ଭୋକଶୋଷ ମରିଗଲା । ସୁନ୍ଦର ଦୃଶ୍ୟ ଦେଖି ଖୁସି ହେଲି ।
ଅଳ୍ପ ସମୟ ପରେ ପଡ଼ିଲା କାମାକ୍ଷା ଷ୍ଟେସନ । ସେଠାରୁ ଗଲେ ଦଶମିନିଟ୍ ପରେ ଗୌହାଟୀ ଷ୍ଟେସନ । ପୁରୀ ଯିବାବେଳେ ଆଗେ ପଡ଼ନ୍ତି ବାଟମଙ୍ଗଳା । ସେମିତି ଗୌହାଟୀ ଯିବା ପୂର୍ବରୁ ଆଗେ ପଡ଼ନ୍ତି କାମାକ୍ଷା ଠାକୁରାଣୀ । ମୁଁ ଗୌହାଟୀ ଷ୍ଟେସନରେ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଲି । କାମାକ୍ଷା ଷ୍ଟେସନରେ ଗାଡ଼ି ରହିଲାମାତ୍ରେ ମୁଁ ବାହାର ଦୃଶ୍ୟ ଦେଖୁଛି । ହଠାତ୍ ଆଖି ପଡିଲା ଡକ୍ଟର ଶର୍ମାଙ୍କ ଉପରେ । ସେ ପ୍ଲାଟଫର୍ମ ଉପରେ ଗାଡ଼ିକୁ ଦେଖି ଦେଖି ଚାଲିଛନ୍ତି । ଡକ୍ଟର ପୂର୍ଣ୍ଣ ଶର୍ମା ଗୌହାଟୀ ବିଶ୍ୱବିଦ୍ୟାଳୟର ଆକାଡେମିକ ଷ୍ଟାଫ୍ କଲେଜର ଡାଇରେକ୍ଟର । ସେ ମୋତେ ନିମନ୍ତ୍ରଣ କରିଥିଲେ । ମାତ୍ର କେଉଁଠି କିପରି ଓହ୍ଲାଇ ତାଙ୍କ କଲେଜକୁ ଯିବି ଜଣାଇନଥିଲେ ।
ଯାହା ହେଉ କାମାକ୍ଷାଙ୍କ ଦୟାରୁ ତାଙ୍କ ଉପରେ ହଠାତ୍ ଆଖି ପଡ଼ିଗଲା । ମୁଁ ତାଙ୍କୁ ଡାକିଦେଲି । ମୋର ଡାକ ଶୁଣିଲାମାତ୍ରେ ବଗିଭିତରକୁ ସେ ଚାଲିଆସିଲେ । ମୋତେ ଆନନ୍ଦରେ କୁଣ୍ଢାଇ ପକାଇଲେ । ମୋର ମନା କରିବା ସତ୍ତ୍ୱେ ମୋ ସୁଟ୍କେଶକୁ ଧରି ସେ ବାହାରିଲେ । ସେତେବେଳକୁ ସେଇଗାଡ଼ି ପୁରା ଗୋଟିଏ ଦିନ ବା ୨୪ ଘଣ୍ଟା ବିଳମ୍ବରେ ଚାଲୁଥିଲା ।
ଏବେ ସବୁ ଦୁଃଖ ଭୁଲିଯା’ନ୍ତୁ
ଡକ୍ଟର ଶର୍ମା କହିଲେ – ଆପଣ ବାଟରେ ବହୁତ ହଇରାଣ ହୋଇଥିବେ । ଏବେ ସେ ସବୁ ଦୁଃଖ ଭୁଲି ଯା’ନ୍ତୁ । ତାଙ୍କ କାରରେ ଆମେ ସାଥୀ ହୋଇ ଗୌହାଟୀ ବିଶ୍ୱବିଦ୍ୟାଳୟକୁ ଗଲୁ । ସେଠାରେ ଅତିଥି ଭବନ (ଗେଷ୍ଟ ହାଉସ)ରେ ମୋର ରହିବା ବ୍ୟବସ୍ଥା ହେଲା । କିଛି ସମୟ ଦୁଃଖ ସୁଖ ହେଲା ଭିତରେ ସେ କହିଲେ – ଦୁଇ ଦିନ ଧରି ମୁଁ ଖୁବ ଚିନ୍ତାରେ ପଡ଼ିଥିଲି । ଆପଣ ଆସି ପାରିବେ କି ନାହିଁ । ଏଠାରେ ଗଣ୍ଡଗୋଳ । ପୁଣି ଏଇ କେତେ ଦିନ ପରେ ଦିଲ୍ଲୀରେ ଆମର ମିଟିଂ । ସେଥିପାଇଁ ନାନା ପ୍ରସ୍ତୁତି ।
ମୁଁ କିନ୍ତୁ ଆସାମକୁ ଆସିବା ପାଇଁ ମୋର ଆଗ୍ରହ ଏବଂ ଆସିଲା ପରେ ଖୁବ ଆନନ୍ଦ ପ୍ରକାଶ କଲି । ସେ ମଧ୍ୟ ଖୁସି ହେଲେ । କାମାକ୍ଷା ଷ୍ଟେସନରୁ ବିଶ୍ୱବିଦ୍ୟାଳୟ ୧୦ କିଲୋମିଟର ଦୂର । ମାତ୍ର ଅତିଥିଭବନଠାରୁ ତାହା ଜମା ୪ କିଲୋମିଟର । ତେବେ ଘଣ୍ଟାକ ପରେ ଗାଡ଼ି ପଠାଇଦେବେ କହି ସେ ନିଜ ଘରକୁ ଗଲେ ।
ମୁଁ ଘଣ୍ଟାକ ମଧ୍ୟରେ ନିତ୍ୟକର୍ମ ସାରିଦେଲି । ୩ଟାରେ ମୋତେ ଗୋଟିଏ ଭାଷଣ ଦେବାକୁ ହେବ । ମୁଁ ଦୁଇଟା ମଧ୍ୟରେ ଗାଧୁଆ ପାଧୁଆ ସାରି ପ୍ରସ୍ତୁତ ହୋଇଗଲି । ମାତ୍ର ଡ୍ରାଇଭର ଆସିବାରେ ବିଳମ୍ବ ହେବାରୁ ମୁଁ ବାହାରକୁ ଆସି ବୁଲାବୁଲି କଲି । ଦୂର ଦିଗବଳୟରେ ସୁନୀଳ ଉଚ୍ଚ ପାହାଡ଼ ଲମ୍ବି ଯାଇଛି । ମଥାନରେ ତା’ର କଳାହାଣ୍ଡିଆ ବାଦଲର ବୋଝ । ହତାରେ ସନ୍ତସନ୍ତିଆ ଭୂଇଁ । ପଙ୍କ କାଦୁଅଭରା । ସେଠାରେ କେହି ଯତ୍ନ ନେଲାପରି ଜଣାଗଲା ନାହିଁ । ତେବେ ହତା ମଝିରେ ଗୋଲାପ, ହେନା ଆଦି ଫୁଲଗଛମାନ ମୁଣ୍ଡଟେକି ଠିଆ ହୋଇଛନ୍ତି ।
ଦୁଇଟା ପନ୍ଦର ମିନିଟରେ କାର ଆସିଲା । ମୁଁ ବିଜ୍ଞାନ କେନ୍ଦ୍ରର କ୍ୟାଣ୍ଟିନରେ କିଛି ଖାଇ ତାଲିମ କେନ୍ଦ୍ରକୁ ଗଲି । ସେଠାରେ କିଛି ସମୟ ବସିଲା ପରେ ଶର୍ମା ଆସିଲେ । କୋଅର୍ଡ଼ିନେଟର ଭଟ୍ଟାଚାର୍ଜୀ ଶ୍ରେଣୀରେ କ’ଣ ଆଲୋଚନା କରୁଥିଲେ । ଆସିଲେ । ଗୋଟିଏ ଗ୍ରୁପ ଫଟୋ ଉଠାଇବାର ଆୟୋଜନ । ମୋତେ ସେମାନେ ବସିବାକୁ ଅନୁରୋଧ କଲେ । ଫଟୋ ଉଠିଲା ।
ତା'ପରେ ଡକ୍ଟର ଶର୍ମା ସମସ୍ତଙ୍କ ସହ ମୋର ପରିଚୟ କରାଇଦେଲେ । ମୁଁ ମଧ୍ୟ ପ୍ରଥମ କରି ଆସାମ ଯାଇଥିବାରୁ ଆନନ୍ଦ ପ୍ରକାଶ କଲି । ଦୁଇ ପଡ଼ୋଶୀ ରାଜ୍ୟ ଓଡ଼ିଶା ଓ ଆସାମ । ସେମାନଙ୍କ ଭାଷା, ଧର୍ମ, ଆଚରଣ, ଚଳଣି ଆଦିରେ ଖୁବ୍ ସାମଞ୍ଜସ୍ୟ । ଶିକ୍ଷା ଓ ଦର୍ଶନ ସମ୍ପର୍କରେ ଭାଷଣ ଦେଲି । ଶେଷରେ ଆଲୋଚନା ହେଲା । କେନ୍ଦ୍ର ମାଧ୍ୟମିକ ଶିକ୍ଷାବୋର୍ଡର ଆଞ୍ଚଳିକ ଅଧିକାରୀ ଫୁକନ୍ବାବୁ ମଧ୍ୟ ଆଲୋଚନାରେ ଯୋଗଦେଲେ ।
ତା'ପରେ ଆମେ ଡକ୍ଟର ଶର୍ମାଙ୍କ ବସାକୁ ଗଲୁ । ସେଠାରେ କଥାବାର୍ତ୍ତ ହେଲୁ । ପରସ୍ପର ଘରଦ୍ୱାର, ପିଲାପିଲିଙ୍କ ପଢ଼ାପଢ଼ି ସମ୍ପର୍କରେ ସୁଖଦୁଃଖ ହେଲୁ । ଆସାମ ବିଶେଷ କରି ଗୌହାଟୀ ସହର ବିଷୟରେ ଆଲୋଚନା କଲୁ । ଆସମର ଆଗକାଳର କଥା । ଆସାମ ପୌରାଣିକ ଯୁଗରେ ପ୍ରାଗ୍ଜ୍ୟୋତିଷପୁର ନାମରେ ବିଖ୍ୟାତ ଥିଲା । କାଳିଦାସଙ୍କ କାବ୍ୟ କବିତା ଏବଂ ଅନ୍ୟାନ୍ୟ ସଂସ୍କୃତ ଶାସ୍ତ୍ରମାନଙ୍କରେ ଏହାକୁ କାମରୂପ ବୋଲି ବର୍ଣ୍ଣନା କରାଯାଇଛି । ସମୁଦ୍ର ଗୁପ୍ତଙ୍କର ଏକ ଶିଳାଲିପିରେ (୫ମ ଶତାବ୍ଦୀ) ଏହାର ନାମ କାମରୂପ ବୋଲି କୁହାଯାଇଛି । ଦଶମ ଶତାବ୍ଦୀରେ ଲିଖିତ କାଳିକା ପୁରାଣରେ ପ୍ରାଗ୍ଜ୍ୟୋତିଷ ବା କାମରୂପର ବର୍ଣ୍ଣନା ରହିଛି । ୧୬ଶ ଶତାବ୍ଦୀର ଯୋଗିନୀତନ୍ତ୍ରରେ କାମରୂପର ସୀମା ସରାହଦ ଆଦି ଭୌଗଳିକ ଅବସ୍ଥିତି ସୁନ୍ଦର ଭାବରେ ଦିଆଯାଇଛି । ନେପାଳଠାରୁ ବ୍ରହ୍ମପୁତ୍ରର ମୁହାଣଯାଏ ଏକ ବିରାଟ ଭୁଖଣ୍ଡ କାମରୂପ ବୋଲି କୁହାଯାଇଛି । ସେଥିରୁ ଆଜିକାଲିର ଆସାମ ସହିତ ଉତ୍ତର ବଙ୍ଗର କୁଚବିହାର, ରଙ୍ଗପୁର, ଜଳପାଇଗୁଡ଼ି, ଦିନାଜପୁର ଆଦି କାମରୂପ ମଧ୍ୟରେ ଥିଲା ବୋଲି ଜଣାପଡ଼େ ।
'ଆସାମ' ନାମକରଣ କିପରି ହେଲା ? ଏହି ପ୍ରଶ୍ନ ସବୁରି ମନରେ ଉଙ୍କି ମାରିବା ସ୍ୱାଭାବିକ । ୧୩ଶ ଶତାବ୍ଦୀରେ ଆହୋମ ନାମକ ଆଦିବାସୀ ଜାତି ବ୍ରହ୍ମପୁତ୍ର ଉପତ୍ୟକାକୁ ବର୍ମା ଆଡ଼ୁ ଆକ୍ରମଣ କରିଥିଲେ । ସେମାନେ ସେତେବେଳେ ଏଠାକୁ ଶାସନ କରୁଥିବା ଲୋକମାନଙ୍କୁ ହଟାଇ ରାଜପଣ କରିଥିଲେ । ସେମାନଙ୍କର ନାମ ଅନୁସାରେ ଆସାମ ନାମକରଣ ହୋଇଛି ବୋଲି କୁହାଯାଏ । ଆହୋମମାନେ ପରେ ହିନ୍ଦୁଧର୍ମ ଗ୍ରହଣ କରିଥିଲେ ଏନଂ ଆସାମୀ ଭାଷା ବ୍ୟବହାର କରିଥିଲେ ।
ସେତେବେଳେ ଆସାମରେ ଗୋସେଇଁ ନାମରେ ଏକ ବୈଷ୍ଣବ ଶ୍ରେଣୀ ଥିଲେ । ଆହୋମମାନେ ଗୋସେଇଁମାନଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିଲେ । ସେମାନେ ପ୍ରଥମେ ମାତ୍ର ଏକ ହଜାର ଆସିଥିଲେ । ଅନୁକୂଳ ପରିବେଶରେ କେତୋଟି ବର୍ଷରେ ସେମାନେ ଲକ୍ଷାଧିକ ହୋଇଥିଲେ । ଆଉ କେତେକଙ୍କ ମତରେ ଏଠାରେ ଆଦିମ ଅଧିବାସୀମାନେ ଏହି ଭୂଇଁ ଉଚ୍ଚନୀଚ ପାହାଡ଼, ଉପତ୍ୟକା, ନଦୀନାଳର ଦେଶ ହୋଇଥିବାରୁ ଏହାକୁ 'ଆସାମ' ବା ଅସମାନ କହନ୍ତି । ଏଥିରୁ ନାମ ଆସାମ ହୋଇଛି ।
ପୁରାଣମାନଙ୍କରେ କୁହାଯାଇଛି, ଏଠାରେ ଆଦିମ ଅଧିବାସୀ ଥିଲେ କିରାତ, ନିଷାଦ, କିନ୍ନର ଆଦି ଉପଜାତିର ଲୋକ । ଏମାନଙ୍କୁ ମ୍ଳେଚ୍ଛ ବା ଅସୁର ବୋଲି ମଧ୍ୟ କୁହାଯାଇଛି । ତା'ପରେ ଆର୍ଯ୍ୟ, ମଙ୍ଗୋଲିୟ, ଚୀନ ଆଦି ବହୁଜାତି ଓ ସମ୍ପ୍ରଦାୟର ଲୋକ ଆସି ଏଠାରେ ବାସ କଲେ । ନାଗା, ଗାରୋ, ଖାସି, ଜୟନ୍ତିଆ ଆଦି ଅଧିବାସୀମାନେ ପାହାଡ କୋଳରେ ବହୁଯୁଗରୁ ରହି ଆସିଛନ୍ତି । ସେହିପରି ଆଉ ଏକ ଜାତିର ଆସିବାସୀ ହେଲେ 'ବୋଡ଼ୋ' । ସେମାନଙ୍କ ଭାଷାରେ ବୋଡ଼ୋର ଅର୍ଥ ମଣିଷ । ସେମାନଙ୍କ ମଧ୍ୟରୁ ଅଧିକାଂଶ କାମରୂପ ଜିଲ୍ଲାର ପଶ୍ଚିମ ଭାଗରେ ବାସ କରନ୍ତି । ସେମାନଙ୍କୁ 'ମେକ' (ସମ୍ଭବତଃ 'ମ୍ଲେଚ୍ଛ'ରୁ ହୋଇଛି) କହନ୍ତି । ଯେଉଁମାନେ ଏହାର ପୂର୍ବରେ ବାସ କରନ୍ତି, ସେମାନଙ୍କୁ କାଚାରୀ (ସମ୍ଭବତଃ 'କାଚାର' ଅଞ୍ଚଳର) କୁହାଯାଏ ।
ବୋଡ଼ୋମାନେ ବିସ୍ତୃତ ଅଞ୍ଚଳ ଅଧିକାର କରି ରାଜୁତି କରୁଥିଲେ । ନଦୀକୂଳମାନଙ୍କରେ ଘରଦ୍ୱାର କରିଥିଲେ । ନିଜ ଭାଷାରେ ନଦୀଗୁଡିକର ନାମକରଣ କରିଥିଲେ । ପଶ୍ଚିମରୁ ଆର୍ଯ୍ୟ ଓ ପୂର୍ବରୁ ଆହୋମମାନେ ଆସିଥିଲେ । ଏକ ତାଇ ବା ସାନ ସମ୍ପ୍ରଦାୟ ଆହୋମ ବଂଶରେ ରାଜପଣ କଲେ । ଏହି ବଂଶର ରାଜା ପ୍ରଥମ ଜୟଧ୍ୱଜ ସିଂହ (୧୬୪୮ - ୧୬୬୩) ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ।
ରାମାୟଣ ଓ ମହାଭାରତରେ ଆସାମର ଅଧିବାସୀଙ୍କ ବିଷୟରେ ବହୁ ବର୍ଣ୍ଣନା ରହିଛି । ଆସାମର ଭୌଗଳିକ ଅବସ୍ଥିତି, ଏହାର ଭାଷା, ଧର୍ମ ଆଦିର ବହୁ ବର୍ଣ୍ଣନା ରହିଛି ।
ଆସାମର ଅବସ୍ଥା
ଆସାମର ଭୌଗଳିକ ଅବସ୍ଥିତି, ଏହାର ଭାଷା, ଧର୍ମ, ଆଚାର, ବିଚାର, ଖାଦ୍ୟ, ପୋଷାକ ଆଦିକୁ ପ୍ରଭାବିତ କରିଛି । ପୂର୍ବରୁ ପାହାଡ଼ ମଧ୍ୟରେ ଥିବା ଗିରିପଥ ଦେଇ ବର୍ମା, ତିବ୍ବତ, ଭୁଟାନ ଓ ଚୀନ ସହିତ ଯୋଗାଯୋଗ ରହି ଆସିଥିଲା । ବ୍ରହ୍ମପୁତ୍ରନଦୀ ଆସାମ ମଧ୍ୟରେ ପ୍ରବାହିତ ହୋଇ ଇଜିପ୍ଟର ନୀଳନଦୀ ପରି ବହୁ ପ୍ରକାରେ ସାହାଯ୍ୟ କରି ଆସିଛି । ବଙ୍ଗ ବ୍ୟତୀତ ଭାରତର ଅନ୍ୟାନ୍ୟ ଅଞ୍ଛଳ ସହିତ ସମ୍ପର୍କ ସ୍ଥାପନରେ ଏହା ସହାୟକ ହୋଇଛି । ଆସାମର ଇତିହାସ ଓ ସଂସ୍କୃତିକୁ ଏହି ନଦୀ ସବୁପ୍ରକାର ପ୍ରଭାବିତ କରିଛି । ଏହି ଆସାମର ପୂର୍ବ ଭାଗରେ ଥିବା ଭୂମିକୁ ଶସ୍ୟଶ୍ୟାମଳା କରିଛି । ଏହାର ପ୍ରକୃତିକ ସମୃଦ୍ଧି ଓ ପ୍ରାଚୁର୍ଯ୍ୟ ବହୁ ଜାତି, ବହୁ ସମ୍ପ୍ରଦାୟକୁ ଆକର୍ଷଣ କରିଛି । କଳା, ସାହିତ୍ୟ, ଗୀତ, ନୃତ୍ୟ ବହୁ ପ୍ରକାରେ ଉନ୍ନତ ହୋଇପାରିଛି ।
ଆସାମର ଭାଷା ସଂସ୍କୃତ ଭାଷାରୁ ୭ମ ଶତାବ୍ଦୀରେ ଜନ୍ମ ନେଇଥିଲା । 'ମାଗଧି' ଉପଭାଷା ସହିତ ଏହାର ସମ୍ପର୍କ ଘନିଷ୍ଠ । ଭାଷାବିଦ୍ ସାହେବ ଗ୍ରିୟରସନ୍ଙ୍କ ମତରେ ମାଗଧି ଏକ ପ୍ରଧାନ ଉପଭାଷା ଏବଂ ପୂର୍ବାଞ୍ଚଳରେ ପ୍ରାକୃତ ଭାଷା ପରି ବ୍ୟବହୃତ ହେଉଥିଲା । ଏଥିରୁ ମଧ୍ୟ ବଙ୍ଗଳା ଓ ଓଡ଼ିଆ ଭାଷାର ଜନ୍ମ । ୭ମ ଶତାଭୀର ପ୍ରଥମ ଭାଗରେ ଆସାମର ରାଜା ଭାସ୍କର ବର୍ମନଙ୍କ ନିମନ୍ତ୍ରଣ ପାଇ ପ୍ରସିଦ୍ଧ ଚୀନ୍ ପରିବ୍ରାଜକ ହୁଏନ୍ସାଂ ଆସିଥିଲେ । ତାଙ୍କ ବିବରଣୀରୁ ଆସାମ ସମ୍ପର୍କରେ ବହୁ କଥା ଜଣାପଡ଼ିଥାଏ । ତାଙ୍କ ମତରେ କାମରୂପରେ ମଧ୍ୟ ଏକ ସ୍ୱତନ୍ତ୍ର ଭାଷା ପ୍ରଚଳିତ ଥିଲା । ସେତେବେଳକୁ ଆର୍ଯ୍ୟ ସଂସ୍କୃତିର ପ୍ରଭାବ ଆସାମ ଉପରେ ପଡ଼ି ସାରିଥିଲା । ୭ମରୁ ୧୨ ଶ ଶତାବ୍ଦୀ ମଧ୍ୟରେ ବୌଦ୍ଧ ସନ୍ୟାସୀ ସିଦ୍ଧାଚାର୍ଯ୍ୟଙ୍କ ରଚିତ ବହୁ କବିତା ଚର୍ଯ୍ୟା ଓ ଦୋହା ନାମରେ ବିଖ୍ୟାତ ହୋଇଛି । ତାହା ଆସାମ ଭାଷାର ଆଦିରୂପ ବୋଲି ପଣ୍ଡିତମାନେ କହନ୍ତି । ବହୁ ଭାଷା ଓ ଉପଭାଷାର ପ୍ରଭାବରେ ପ୍ରଭାବିତ ହୋଇ ଆଜି ତାହା ଏହି ଅବସ୍ଥାରେ ପହଞ୍ଚିଛି ।
ଶଙ୍କର ଦେବ
ଯେଉଁ ମହାପୁରୁଷମାନେ ଆସାମୀ ଭାଷା ଓ ସଂସ୍କୃତିକୁ ଉନ୍ନତ କରିଥିଲେ, ସେମାନଙ୍କ ମଧ୍ୟରେ ଶଙ୍କର ଦେବ ପ୍ରଧାନ । କରଣ ବଂଶରେ ଜନ୍ମ ଗ୍ରହଣ କରି ସେ ସଂସ୍କୃତ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ । କଳା, ସଂଗୀତ, ନୃତ୍ୟ ନାଟ୍ୟାଭିନୟ,ଚିତ୍ରାଙ୍କନ ଆଦି ବିଭିନ୍ନ ଦିଗରେ ତାଙ୍କର ଦକ୍ଷତା ଥିଲା । ତାଙ୍କର ବ୍ୟକ୍ତିତ୍ତ୍ୱ ବହୁ ଦିଗରେ ଫୁଟି ଉଠିଥିଲା ।
ସେ ଏପରି ଏକ ଧର୍ମ ପ୍ରଚାର କରିବାକୁ ଚାହିଁଥିଲେ ଯେଉଁଥିରେ ସେ ନିଜର ସବୁ ଦକ୍ଷତାର ବ୍ୟବହାର କରିପାରିଥିଲେ । ଏହା ଖୁବ୍ ସରଳ, ସାବଲୀଳ ଓ ସଙ୍ଗୀତଧର୍ମୀ ହୋଇଥିଲା । ତାକୁ ଜନସାଧାରଣ ସହଜରେ ଗ୍ରହଣ କରିପାରିଥିଲେ । ସେମାନେ ଏଥିରୁ ଶାନ୍ତି ଓ ସନ୍ତୋଷ ଲାଭ କରିପାରିଥିଲେ । ସବୁ ଧର୍ମକୁ ମିଳାଇ ସେ ଏହା କରିବାକୁ ଚେଷ୍ଟା କରିଥିଲେ ।