ପଢିବା ସହ ସଙ୍ଗୀତର ମଜା ନିଅନ୍ତୁ ।
ଗୌହାଟୀରୁ ଫେରିଲି
ଅଗଷ୍ଟ ୪ ତାରିଖ । ଭୋର ୪ଟାରୁ ଉଠି ନିତ୍ୟକର୍ମ ସାରିଦେଲି । ଏତେ ଭୋରରୁ ବାହାରଟା କେଲେ ଫରଚା ଦିଶିଲାଣି । ଅତିଥି ଭବନର ହତାରେ ବୁଲଚଲା କଲି । ସାଢ଼େ ୪ଟାରେ କୁତବ୍ କାର ଆଣି ପହଞ୍ଚିଗଲା । ଆମେ ସାଥୀ ହୋଇ କାମାକ୍ଷା ଷ୍ଟେସନକୁ ଗଲୁ । ପ୍ରଥମ ଶ୍ରେଣୀରେ ଟିକେଟ ସହଜରେ ମିଳିନଥିଲା । ରାଜର୍ଷି ଭଟ୍ଟାଚାର୍ଜୀବାବୁଙ୍କ ସ୍ୱତନ୍ତ୍ର ଚେଷ୍ଟାରେ ଅତି ବଡ଼ ଲୋକ ବା ଅଧିକାରୀଙ୍କ ପାଇଁ ଭି.ଆଇ.ପି. କୋଟାରୁ ଗୋଟିଏ ସିଟ ମିଳିଥିଲା । ପୂର୍ବଦିନ ସନ୍ଧ୍ୟାରେ ଆସି ତା'ର ବ୍ୟବସ୍ଥା କରାଯାଇଥିଲା । ରିଜର୍ଭେସନ ଚୁଡ଼ାନ୍ତ କରାଯାଇଥିଲା । ସେଠାରେ ସିଂହବାବୁ ନାମକ ଜଣେ ଓଡ଼ିଆ ଭଦ୍ରଲୋକ ଦୂର ସଂଚାରଣ ବା ଟେଲିକମ୍ୟୁନିକେସନ ଇଞ୍ଜିନିୟର ଭାବେ ଯୋଗଦେଇଥିଲେ ।
କୁତବ୍କୁ ୧୦ ଟଙ୍କା ଦେଇ ବିଦାୟ ନେଲି । ମୁଁ ଷ୍ଟେସନ ଭିତରେ ଯାଇ ପ୍ଲାଟଫର୍ମରେ ଅପେକ୍ଷା କଲି । ଜଣେ ତେଲଙ୍ଗା ଭଦ୍ରଲୋକ ପହଞ୍ଚିଲେ । ସେ ଓଡ଼ିଶାର ସୀମାନ୍ତ ଅଞ୍ଚଳ ଇଚ୍ଛାପୁର ପାଖରେ ରହନ୍ତି । ଏବେ ପିଲାମାନେ ବ୍ରହ୍ମପୁରଠାରେ ରହି ପଢ଼ାପଢ଼ି କରୁଛନ୍ତି । ତାଙ୍କ ବାପା ଜଣେ ରେଲୱେ କର୍ମଚାରୀ ଭାବରେ ୩୦ ବର୍ଷ କାଳ ଏଠାରେ କଟାଇଥିଲେ । ଏଠାରେ ମଧ୍ୟ ତାଙ୍କର କ୍ୟାନସରରେ ଅକାଳ ମୃତ୍ୟୁ ହୋଇଥିଲା । ଷ୍ଟେସନର କର୍ମଚାରୀଗଣ ମିଳିମିଶି ବ୍ରହ୍ମପୁତ୍ର କୂଳର ଏକ ଶ୍ମଶାନରେ ଦାହ କରିଥିଲେ । ବାପାଙ୍କ ମୃତ୍ୟୁପରେ ତାଙ୍କୁ ସେଇ ଚାକିରିଟି ମିଳିଛି ।
କୋଚିନ୍ ଏକ୍ସପ୍ରେସ୍ ଠିକ ସମୟରେ ଆସିଲା । ଟିକେଟ କଲେକ୍ଟରଙ୍କୁ ମୋର ନାଁ ଓ ସିଟ୍ ନମ୍ୱର କହିଲାମାତ୍ରେ ଟିକିଏ ଚମକି ପଡ଼ିଲେ । କୌଣସି ମନ୍ତ୍ରୀ ବା ବଡ଼ ଅଫିସରଙ୍କ ଲୋକ ବୋଲି ମୋତେ ଭାବିନେଲେ । ନିଜେ ଆସି ମୋତେ ମୋର ସିଟରେ ବସାଇ ଦେଲେ । ତାପରେ ଆସି ମୋର ଜଳଖିଆ ଓ ମଧ୍ୟାହ୍ନ ଭୋଜନ କଥା ବୁଝିଥିଲେ । ମୁଁ ମାଛମାଂସ ଖାଏ ନାହିଁ ବୋଲି କହିବାରୁ ସେ ମୋ ପାଇଁ ସାଦା ଖାଦ୍ୟର ବ୍ୟବସ୍ଥା କରିଦେଲେ ।
ଠିକ୍ ୫ଟା ୧୫ ମିନିଟରେ ଟ୍ରେନ୍ ଛାଡ଼ିଲା । କାମାକ୍ଷା ପରେ ରଙ୍ଗିୟା ଓ ତାପରେ ପାଠଶାଳା ବୋଲି ଏକ ଷ୍ଟେସନ ପଡ଼ିଲା । ବ୍ରହ୍ମପୁତ୍ର ନଦୀ ଜଳପୂର୍ଣ୍ଣ । ପାହାଡ଼ କୋଳରେଏ ବଙ୍କାଟଙ୍କା ହୋଇ ସେ ବହି ଯାଇଛି । ବହୁ ନାଆ ଭାସୁଛି । ଗାଁ ଗଣ୍ଡା ମଝିରେ ମଝିରେ ପଡ଼େ । ନଡ଼ିଆ, କଦଳୀ, ଗୁଆ, ବାଉଁଶ ଆଦି ଗଛଲତାରେ ସେ ସବୁ ଭରପୂର । ଚଉଦିଗ ପରିବେଶ ଖୁବ୍ ସୁନ୍ଦର, ଖୁବ୍ ସବୁଜ ।
ବାରପେଟା ରୋଡ଼ ଷ୍ଟେସନ ପଡ଼ିଲା । ଏକ ବଡ଼ ବ୍ୟବସାୟ କେନ୍ଦ୍ର । ବଡ଼ବଡ଼ ଗୁଆର ଗୋଦାମମାନ ଦେଖିବାକୁ ମିଳେ । ବୋଙ୍ଗାଇଗାଓଁ ଷ୍ଟେସନରେ ବହୁ ସମୟ ଟ୍ରେନଟି ରହିଲା । ସେଠାରେ ପାଚିଲା ସପୂରୀର ଚୋପାକୁ ଛଡ଼ାଇ ଅଧାକୁ ଦୁଇ ଟଙ୍କାରେ ବିକୁଥିଲେ । କିଣିଲି, ଭଲ ଲାଗିଲା । ପାଚିଲା କଦଳୀ ମଧ୍ୟ ମିଳିଲା । ଡଜନ ୫/୬ ଟଙ୍କା । ଷ୍ଟେସନରେ ବହୁ ସଂଖ୍ୟାରେ କଞ୍ଚା କଦଳୀକାନ୍ଧିମାନ ଗଦା ହୋଇଥିଲା । ସମ୍ଭବତଃ ସେଠାରୁ ବାହାରକୁ ପଠାୟାଏ । ତା'ପରେ ଟ୍ରେନ ଯାଇ କୋକ୍ରାଝରଠାରେ ପହଞ୍ଚିଲା । ବୋଡ଼ୋମାନଙ୍କର ପ୍ରଧାନ କର୍ମସ୍ଥଳ । ପୋଲିସ୍ ଓ ନିରାପତ୍ତା ରକ୍ଷୀମାନେ ବହୁ ସଂଖ୍ୟରେ ଜଗି ରହିଥିଲେ ।
୧୨ଟା ବାଜିଲା । ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନ ମିଳିଲା । ମୋର କାହିଁ ପଚାରିବାରୁ ଟିକେଟ କଣ୍ଡକ୍ଟରବାବୁ କହିଲେ, "ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇ ଆସୁଛି ।
ଆପଣଙ୍କ ପୂରା ନିରାମିଷ ଖାଦ୍ୟ ତ !" ସତକୁ ସତ କିଛି ସମୟ ପରେ ମୋର ଭୋଜନ ପାଇଁ ଖାଦ୍ୟ ଆସିଗଲା । ମୁଁ କେରଳର ରାଜଧାନୀ ତ୍ରିଭେନ୍ଦ୍ରମ୍ରେ ଖାଇଥିବା ଖାଦ୍ୟପରି ଲାଗିଲା । ଖାଦ୍ୟ ଭଲ ଲାଗିଲା । କଣ୍ଡକ୍ଟରବାବୁଙ୍କୁ ସାଧୁବାଦ ଜଣାଇଲି ।
ଦୁଇ ପାଖରେ କ୍ଷେତ ଖମାର
ନିଉକୁଚବିହାର ପଡ଼ିଲା । ବଙ୍ଗଳା ମଧ୍ୟରେ ଟ୍ରେନ୍ ଚାଲିଲା । ତିସ୍ତାନଦୀ ଅତିକ୍ରମ କଲୁ । ଖୁବ୍ ବଡ଼ ନଦୀଟିଏ । ଜଳପାଇଗୁଡ଼ି ପରେ ନିଉଜଳପାଇଗୁଡ଼ି ଷ୍ଟେସନ ପଡ଼ିଲା । କଣ୍ଡକ୍ଟରବାବୁ ସେଠାରେ ମୋଠାରୁ ବିଦାୟ ନେଲେ । ମୁଁ ସିଟ୍ରୁ ଉଠି ତାଙ୍କ ହାତରେ ମୋ ହାତ ମିଳାଇଲି ।
ବହୁ ସଂଖ୍ୟାରେ ସପୁରୀ ସେଠାରେ ବିକ୍ରୀ ହେଉଅଛି । ସେଥିରୁ କିଛି କିଣିଦେଲି । ଦିଗହଜା ସପୁରୀ କ୍ଷେତମାନ ଲମ୍ବିଯାଇଥିଲା । ପ୍ରଥମେ ମୁଁ ତ ତାହା ସପୁରୀ କିଆରୀ ବୋଲି ଜାଣିପାରି ନ ଥିଲି । ସ୍ଥାନୀୟ ଯାତ୍ରୀମାନଙ୍କୁ ପଚାରି ଏହା ବୁଝିଲି । ବାଉଁଶ ଗଛ ମଧ୍ୟ ଲଗାଇ ବଡ଼ବଡ଼ କିଆରି କରାଯାଇଛି । ସପୁରୀ, ବାଉଁଶ ପ୍ରଭୃତିର କ୍ଷେତ ମୋ ପାଇଁ ନୂଆ ଥିଲା ।
ନଳିତା ଚାଷ ପରେ ଧାନ ଚାଷର ଆୟୋଜନ ଚାଲିଛି । ଗାଈ ମଇଁଷି ଦଳଦଳ ହୋଇ ଚରୁଛନ୍ତି । ଗାଈଆଳ ପିଲା ମଇଁଷି ଉପରେ ବସିଛନ୍ତି ଖୁବ୍ ଆରାମରେ । ଗୋଟିଏ ଜାଗାରେ ଦେଖିଲି ଦୁଇଟି ପିଲା ଗୋଟିଏ ବଡ଼ ମଇଁଷି ପିଠିରେ ବସି ତାସ ପାଲି ପକାଉଛନ୍ତି । ମଇଁଷି ନିଶ୍ଚିନ୍ତରେ ତା'ର ଚରିବାରେ ଲାଗିଛି । ଧାଇଁଥିବା ବସ୍ଗୁଡ଼ିକର ଛାତ ଉପରେ ଯାତ୍ରୀମାନେ ବସିଛନ୍ତି । କିଶାନଗଞ୍ଜ ଠାରେ ତ ଦେଖିଲି ଟ୍ରେନ ଛାତ ଉପରେ ଶହ ଶହ ଲୋକ ବସିଛନ୍ତି । ରେଳ ରାସ୍ତାକଡରେ ଆକାଶିଆ ଗଛ ଗୁଡ଼ିକର ଶୋଭା ଖୁବ୍ ସୁନ୍ଦର ଦିଶୁଛି । ନାଲି ନଳିତା କିଆରୀର ଶୋଭା ଭାରି ଭଲ ଲାଗିଲା ।
ମାଲ୍ଦାଠାରେ ଟ୍ରେନ ରହିଲା । ସେତେବେଳେ ସନ୍ଧ୍ୟା ୮ଟା । କିଛି ଆମ୍ବ କିଣିଲି ।
ଘଣ୍ଟାକ ପରେ ଯାହା କିଛି ରାତ୍ରୀଭୋଜନ କରି ବିଶ୍ରାମ ନେଲି । ହାଓଡ଼ା ଷ୍ଟେସନରେ ଭୋର ହେଲା । ନିତ୍ୟକର୍ମ ସାରି ସେଠାରେ ଉଠିଥିବା ଓଡ଼ିଆ ଯାତ୍ରୀମାନଙ୍କ ସହ ସୁଖ ଦୁଃଖ ହେଲି । ଶୁଣିଲି, ବାଲେଶ୍ୱର ପାଖରେ ଗତକାଲି ଗୋଟିଏ ଦୁର୍ଘଟଣା ଘଟିଥିଲା । ସେଥିପାଇଁ ଧଉଳି ଏକ୍ସପ୍ରେସ୍ ବନ୍ଦ ହୋଇଛି ।
ପରିଚିତ ଅଞ୍ଚଳ ମଧ୍ୟରେ ଟ୍ରେନ୍ ଆଗେଇ ଚାଲିଲା । ଶ୍ୟାମଳ ଧାନକ୍ଷେତ, ନଦୀନାଳ, ବଣପାହାଡ଼, ଧାଇଁଛନ୍ତି ସତେ ଯେମିତି ଓଡ଼ିଶାର ଗାଆଁ ଗଣ୍ଡାରେ ଥିବା ଟୁବି ଗଡ଼ିଆ, ବାଡ଼ି ବଗିଚା, ବାଉଁଶ ବଣ, ନଳିତା କିଆରି, ପାଠଶାଳା ଆଦି ମନରେ ଆନନ୍ଦ ଭରିଦେଲା । ଭୁବନେଶ୍ୱରଠାରେ ଟ୍ରେନ ଅପରାହ୍ନ ଗୋଟାଏ ବେଳେ ପହଞ୍ଚିଲା । ଆମେ ସବୁ ନିଜ ନିଜ ବାଟରେ ଘରବାହୁଡ଼ା ହେଲୁ ।